Mon. Nov 30th, 2020

ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷଙ୍କ ମତ: ଜିଏସ୍‌ଟିରେ ସମସ୍ୟା ରହିଛି, ଏହା‌ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ନୁହେଁ

1 min read
Spread the love

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏକ ମହତ୍ବପୂର୍ଣ୍ଣ ସଂସ୍କାର। କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ନୁହେଁ। ଏଥିରେ ସମସ୍ୟା ରହିଛି। ଜିଏସ୍‌ଟିକୁ ପ୍ରଭାବଶାଳୀ କରିବାକୁ ହେଲେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଟିକସ ସ୍ଲାବ୍‌ର ସରଳୀକରଣ, ଛାଡ଼ ବ୍ୟବସ୍ଥାରେ ସୁଧାର ଏବଂ ପ୍ରଯୁକ୍ତି ଓ ଇନ୍‌ଭଏସ୍‌ ବ୍ୟବସ୍ଥାର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ୍‌ କେ ସିଂହ କହିଛନ୍ତି। ଇଂରାଜି ଖବରକାଗଜ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ଇଆଡ୍ଡାରେ ଅଂଶଗ୍ରହଣ କରି ସେ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମ୍ପର୍କରେ ବଡ଼ ଧରଣର ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଅର୍ଥ ଆୟୋଗଙ୍କ କାମ ହେଉଛି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରି ସମାଧା‌ନ ସୂତ୍ର ପ୍ରଦାନ କରିବା। ଚର୍ତୁଦଶ ଅର୍ଥ ଆୟୋଗ ଯଦିଓ ଟିକସ ଭାଗବଣ୍ଟା ହାର ୩୨ ପ୍ରତିଶତରୁ ବଢ଼ାଇ ୪୨ ପ୍ରତିଶତ କରିଥିଲେ କିନ୍ତୁ ତାହାକୁ ନେଇ କୌଣସି ରାଜ୍ୟ ଏଭଳିକି କେନ୍ଦ୍ର ସରକାର ମଧ୍ୟ ଖୁସି ନଥିଲେ। ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ବିଭିନ୍ନ ରାଜ୍ୟ ସହ ଆଲୋଚନା କରିବା ବେଳେ ସେ ଗୋଟିଏ କଥା ଜାଣିପାରିଥିଲେ ଯେ ସଂଘୀୟ ବ୍ୟବସ୍ଥା କେବଳ କାଗଜକଲମରେ ରହିଯାଯାଇଛି। ଜାତୀୟ ସ୍ବାର୍ଥକୁ ଅଗ୍ରାଧିକାର ପ୍ରଦାନ କରିବା ଲାଗି ଉତ୍ତମ ସହଯୋଗିତା ଦରକାର। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କଥାବାର୍ତା ଜାରି ରଖିବା ଲାଗି ଏକ ଭିନ୍ନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ନିତି ଆୟୋଗର ପୁନର୍ଗଠନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।