Sat. Apr 20th, 2024

୬ ବର୍ଷର ଶିଶୁ ଅପହରଣ ଘଟଣା : ମହିଳା ଗିରଫ, ଶିଶୁପୁତ୍ର ଉଦ୍ଧାର

1 min read
Spread the love

ପୁରୁଣା ଭୁବନେଶ୍ୱର : ବୁଧବାର ସ୍ଥାନୀୟ ଗ୍ୟାରେଜ୍‌ ଛକରୁ ଏକ ୬ବର୍ଷର ଶିଶୁକୁ ଅପହରଣ ମାମଲାର ଅନ୍ତ ଘଟିଛି। ଆଜି ସକାଳୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଅପହରଣ କରିଥିବା ମହିଳାକୁ ଗିରଫ କରିବା ସହ ଶିଶୁପୁତ୍ରକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ମହିଳା ହେଲେ ଫୁଲବାଣୀ ଅଞ୍ଚଳର ଅମିତା ଦିଗଲ(୩୧)। ସେ ୟୁନିଟ୍‌-୬ ହସ୍ପିଟାଲ୍‌ ନିକଟରେ ରହନ୍ତି ବୋଲି ଜଣାପଡ଼ିଛି। ତେବେ ଗୁରୁବାର ସକାଳୁ ଅମିତା ନିଜେ ଶିଶୁକୁ ଧରି ରାସ୍ତାରେ ବୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିବାରୁ ଏହି ଅପହରଣ ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା, ତାହା ସ୍ପଷ୍ଟ ହୋଇନାହିଁ।

ପୁଲିସ ସୂଚନା ଅନୁଯାୟୀ କାରଗିଲ ବସ୍ତିରେ ରହୁଥିବା ବ୍ରହ୍ମପୁରର ଏକ ଦମ୍ପତି ଗତକାଲି ୬ ବର୍ଷ ବୟସର ନାତିକୁ ଧରି କାମ ଖୋଜିବାକୁ ଆସିଥିଲେ। ସେମାନେ ବଢ଼େଇବାଙ୍କ ଛକରେ ବସିଥିବାବେଳେ ଜଣେ ଠିକାଦାର ସେମାନଙ୍କୁ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରିବାକୁ କହିଥିଲେ। ଦମ୍ପତି ଏଥିରେ ରାଜି ହୋଇଥିଲେ। ସେଠାରେ କାମ ପାଇଁ ଅପେକ୍ଷା କରିଥିବା ଅମିତା ମଧ୍ୟ ଠିକାଦାର ସହ କାମ କରିବାକୁ ଯିବେ ବୋଲି ରାଜି ହୋଇଥିଲେ। ତେଣୁ ପ୍ରଥମେ ଠିକାଦାର ତାଙ୍କ ବାଇକ୍‌ରେ ଅମିତା ଓ ଶିଶୁପୁତ୍ରକୁ ନେଇ ଗ୍ୟାରେଜ୍‌ ଛକରେ ଛାଡ଼ିଥିଲେ। ପରେ ପୁଣି ବଢ଼େଇବାଙ୍କ ଛକରୁ ଉକ୍ତ ଦମ୍ପତିକୁ ବାଇକ୍‌ରେ ଗ୍ୟାରେଜ୍‌ ଛକକୁ ନେଇଥିଲେ। ମାତ୍ର ବୃଦ୍ଧ ଦମ୍ପତି ଗ୍ୟାରେଜ୍‌ ଛକରେ ପହଞ୍ଚିବାବେଳକୁ ଅମିତା ଶିଶୁକୁ ନେଇ ଅନ୍ତର୍ଧାନ ହୋଇଯାଇଥିଲେ। ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଠିକାଦାରଙ୍କୁ ଧରି ବିଭିନ୍ନ ବସ୍ତିରେ ଅମିତାକୁ ଖୋଜିଥିଲା। ମାତ୍ର ଅମିତାକୁ ଠାବ କରିବା ସମ୍ଭବ ହୋଇନଥିଲା।

Copyright © All rights reserved.