ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ
1 min read
ଭୁବନେଶ୍ୱର: ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି । ୩୩ଟି ଅନୁସୂଚିତ ଜାତି ଜନଜାତିର ବିଧାନସଭା ଆସନରୁ ୧୧ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ୨୧ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୩୮ ପ୍ରତିଶତ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପିକୁ ୧୮ ପ୍ରତିଶତ ଭୋଟ ମିଳିଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଆମେ ୫୦ ପ୍ରତିଶତ ଭୋଟ ହାସଲ କରି ଓଡିଶାରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ନେବା ବୋଲି ବିଜେପିର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଡ. ଜଗତ ପ୍ରକାଶ ନଡ୍ଡା ।
କୋଭିଡ ସଙ୍କଟ ସମୟରେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଲକଡାଉନ ଓ ଜନତା କର୍ଫୁ’ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସମଗ୍ର ବିଶ୍ୱ ଓ ୟୁନିସେଫ ଭୁୟସୀ ପ୍ରଶଂସା କରିଛନ୍ତି । କୋଭିଡ ଟେଷ୍ଟିଂ ସଂଖ୍ୟା ପ୍ରତିଦିନ ୧୫୦୦ରୁ ୧୦ଲକ୍ଷ୧୦ ହଜାରକୁ ବୃଦ୍ଧି, ଦେଶରେ ୧୫୦୦ରୁ ଉଦ୍ଧ୍ୱର୍ କୋଭିଡ ହସ୍ପିଟାଲ ସହ ୨ ଲକ୍ଷ ଶଯ୍ୟା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ହୋଇପାରିଛି । ସ୍ୱାସ୍ଥ୍ୟ ସେବା ପାଇଁ ପିପିଇ କିଟ୍ ଭାରତରେ ଉତ୍ପାଦନ ହେଉନଥିବାବେଳେ ବର୍ତମାନ ପ୍ରତିଦିନ ୪ ଲକ୍ଷ ୫୦ ହଜାର ପିପିଇ କିଟ୍ ପ୍ରସ୍ତୁତ ହେଉଛି । କରୋନାରୁ ଏବେ ଦେଶରେ ୭୪. ୩୦ ପ୍ରତିଶତ ରୋଗୀ ସୁସ୍ଥ ହେଉଛନ୍ତି । ଏହା ନିଶ୍ଚିତ ଭାବେ ଆଶ୍ୱସ୍ତ ପ୍ରଦାନ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।