ଇନ୍ଦ୍ରା ନୁଇ ହୋଇପାରନ୍ତି ଆମେରିକାର ବାଣିଜ୍ୟ ସଚିବ
1 min read
ନୂଆଦିଲ୍ଲୀ: ଭାରତ, ବିଶେଷକରି ଚେନ୍ନାଇ, ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଖୁବ୍ ଶୀଘ୍ର ଆଉ ଏକ ଚକିତ କଲା ଭଳି ଖବର ଦେଇପାରନ୍ତି। ତାଙ୍କ ଡେମୋକ୍ରାଟିକ ଦଳ ପକ୍ଷରୁ ଚେନ୍ନାଇ ବଂଶୋଦ୍ଭବ କମଳା ହାରିସ୍ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇ ନିର୍ବାଚନରେ ଜିତି ସାରିଛନ୍ତି। ଆସନ୍ତାବର୍ଷ ଜାନୁଆରି ୨୦ରେ ବାଇଡେନ ଏବଂ କମଳା ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଶପଥ ନେବେ। ଏବେ ସେ ତାଙ୍କ କ୍ୟାବିନେଟର ସହଯୋଗୀ ମାନଙ୍କ ନାମ ଘୋଷଣା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଭଳି ଏକ ସମୟରେ ଚେନ୍ନାଇରେ ଜନ୍ମିତ ତଥା ପେପ୍ସି କମ୍ପାନିର ପୂର୍ବତନ ସିଇଓ ଇନ୍ଦ୍ରା ନୁଇ ଆମେରିକାର ବାଣିଜ୍ୟ ସଚିବ ହେବାର ସମ୍ଭାବନା ରହିଛି। ଜୋ ବାଇଡେନ ତାଙ୍କୁ ବାଣିଜ୍ୟ ମନ୍ତ୍ରାଳୟ ଭଳି ଗୁରୁଦାୟିତ୍ବ ଅର୍ପଣ କରିପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।
ପେପ୍ସିର ସିଇଓଭାବେ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟ କରିବା ପରେ ନୁଇ ୨୦୧୮ରେ ଅବସର ନେଇଛନ୍ତି। ଏବେ ସେ ଆମେରିକାର ଇ-କମର୍ସ କମ୍ପାନି ଆମାଜନ୍ ବୋର୍ଡରେ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ନୁଇ ଆଇଆଇଏମ୍ କଲିକତାରୁ ମ୍ୟାନେଜମେଣ୍ଟ ଡିଗ୍ରି କରିବା ପରେ ଉଚ୍ଚଶିକ୍ଷା ପାଇଁ ୧୯୭୮ ମସିହାରେ ୟେଲ୍ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ପେପ୍ସି କମ୍ପାନିରେ ତାଙ୍କର କ୍ୟାରିୟର ୧୯୯୪ ମସିହାରେ ଆରମ୍ଭ ହୋଇଥିଲା। ମୁଖ୍ୟ କୌଶଳବିତ୍ ଭାବେ ଯୋଗ ଦେଇଥିବା ନୁଇ ୨୦୦୬ ମସିହାରେ କମ୍ପାନିର ସିଇଓ ପଦରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ସମୟରେ ପେପ୍ସି କମ୍ପାନି ଯଥେଷ୍ଟ ଅଗ୍ରଗତି ହାସଲ କରିଥିଲା। ନୁଇ ଅତୀତରେ ଡୋନାଲ୍ଡ ଟ୍ରମ୍ପଙ୍କ ଏଚ-୧ ବି ଭିସା ନୀତିକୁ ବିରୋଧ କରିଥିଲେ। ଏହାଦ୍ବାରା ଆମେରିକାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଉଲ୍ଲେଖ କରି ଟ୍ରମ୍ପଙ୍କୁ ଚିଠି ଲେଖିଥିବା ଆମେରିକାର ୫୯ ଜଣ ସିଇଓଙ୍କ ମଧ୍ୟରେ ନୁଇ ଥିଲେ। ନୁଇ ହିଲାରୀ କ୍ଲିଣ୍ଟନଙ୍କର ଜଣେ ଦୃଢ଼ ପ୍ରଶଂସକ ହୋଇଥିଲେ ମଧ୍ୟ ଟ୍ରମ୍ପଙ୍କ ପରିବାର ସହିତ ମଧ୍ୟ ତାଙ୍କର ଭଲ ସଂପର୍କ ଥିଲା। ନୁଇ ପେପ୍ସିରୁ ଅବସର ନେବା ସମୟରେ ଇଭାଙ୍କା ଟ୍ରମ୍ପ ଏକ ଟ୍ବିଟ୍ କରିଥିଲେ। ନୁଇ ତାଙ୍କ ପାଇଁ ପ୍ରେରଣା ଥିଲେ ବୋଲି ଇଭାଙ୍କା ସେହି ଟ୍ବିଟରେ ଲେଖିଥିଲେ। ତେବେ ୟୁଏସ୍ ଭାରତ ବ୍ୟବସାୟ ପରିଷଦ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭାବେ ବାଇଡେନ ନୁଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଆୟୋଜିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବାଇଡେନଙ୍କ ନିକଟରେ ନୁଇ ବସିଥିବା ଦେଖିବାକୁ ମଧ୍ୟ ମିଳିଥିଲା।