Mon. Jan 19th, 2026

ଋଣ ଖିଲାପିଙ୍କ ତାଲିକା ଦେଲା ରିଜର୍ଭ ବ୍ୟାଙ୍କ

1 min read
Spread the love

ନୂଆଦିଲ୍ଲୀ: ଦେଶର ବଡ଼ ଋଣ ଖିଲାପିଙ୍କ ନାମ ଜାରି କରିବାକୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅମଙ୍ଗ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସେମାନଙ୍କ ତାଲିକା ‌ଜାରି କରିଛନ୍ତି। ଅବଶ୍ୟ ଏହାକୁ ସାର୍ବଜନୀନ ମଞ୍ଚରେ ଉପସ୍ଥାପନ କରାଯାଇନାହିଁ। ‘ଦି ଓୟାର’ ତରଫରୁ ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ କରାଯାଇଥିବା ଆବେଦନର ଉତ୍ତର ଦେଇ ରିଜର୍ଭ ବ୍ୟାଙ୍କ ଋଣ ଖିଲାପିଙ୍କ ବିବରଣୀ ପ୍ରଦାନ କରିଛି।

ଦେଶର ବଡ଼ ଋଣ ଖିଲାପିଙ୍କ ନାମ ପ୍ରକାଶ କରିବାକୁ ଚାରି ବର୍ଷ ତଳେ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏହା ପରେ ଅନେକ ଆର୍‌ଟିଆଇ ଆବେଦନ କରାଯାଇଥିଲେ ମଧ୍ୟ ଏହି ସୂଚନା ଦେଶର ଅର୍ଥନୈତିକ ସ୍ବାର୍ଥ ବିରୋଧୀ ହେବ ବୋଲି କହି ସବୁ ଆବେଦନକୁ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାଖ୍ୟାନ କରୁଥିଲା। ଦି ଓୟାର୍‌ର ଆର୍‌ଟିଆଇ ଆବେଦନ ପରେ ୩୦ ବଡ଼ ଋଣ ଖିଲାପିଙ୍କ ତାଲିକା ଜାରି କରାଯାଇଛି। ଦୀର୍ଘ ୧୦ ବର୍ଷ ହେଲାଣି ଏହି ପ୍ରସଙ୍ଗ ଉପରେ ଆର୍‌ଟିଆଇ ବଳରେ ଅନେକ ଥର ଆବେଦନ କରାଯାଇଥିଲା। ଋଣ ଖିଲାପିଙ୍କୁ ନେଇ ମିଳିଥିବା ତାଲିକାରେ ମେହୁଲ ଚୋକ୍‌ସିଙ୍କ ଗୀତାଞ୍ଜଳି ଜେମସ୍‌, ରୋଟୋମ୍ୟାକ୍ ଗ୍ଲୋବାଲ୍, ‌ଜୁମ୍ ଡେଭେଲପର୍‌, ଡେକାନ୍ କ୍ରନିକଲ୍‌ ହୋଲ୍‌ଡିଂ, ୱିନ୍‌ସନ୍ ଡାଇମଣ୍ଡସ୍‌, ଆର୍‌ଇଆଇ ଆଗ୍ରୋ, ସିଦ୍ଧି ବିନାୟକ ଲଜିଷ୍ଟିକ୍ସ, ‌କୁଡୋସ୍‌ କେମି, କିଙ୍ଗ୍‌ଫିସର୍‌ ଏୟାର୍‌ଲାଇନ୍ସ, ଏବିଜି ସିପ୍‌ୟାର୍ଡ, ଫୋର୍‌ଏଭର୍‌, ଏସ୍‌ କୁମାର ନେସନ୍‌ୱାଇଡ୍‌, ଗିଲି ଇଣ୍ଡିଆ, ଗୁପ୍ତା କୋଲ୍ ଇଣ୍ଡିଆ, ନକ୍ଷତ୍ର ବ୍ରାଣ୍ଡସ୍‌, ଜୈନ ଇନଫ୍ରାପ୍ରୋଜେକ୍ଟସ୍‌, କନ୍‌କାଷ୍ଟ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍ ଓ ନକୋଡା ଲିମିଟେଡ୍‌ର ନାମ ରହିଛି। ଏହି ସବୁ କଂପାନିଗୁଡ଼ିକ ବିରୋଧ କିମ୍ବା ସେମାନଙ୍କ ପ୍ରମୋଟରଙ୍କ ନାମରେ ସିବିଆଇ କିମ୍ବା ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ମାମଲା ଦାୟର କରାଯାଇଛି।

Copyright © All rights reserved.