ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟ୍ ଘଟଣା : ରିମାଣ୍ଡରେ ୨ ଲୁଟେରା
1 min read
ଭୁବନେଶ୍ୱର : ପଟିଆ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଏଟିଏମ୍ ମେସିନ୍ କାଟି ୨୮ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବିଶାଖାପାଟଣାରୁ ରିମାଣ୍ଡରେ ଆଣିଛି କମିସନରେଟ୍ ପୁଲିସ। ସେମାନେ ହେଲେ, ସମରଜ୍ୟାତ ସିଂ ଓ ଜାଫର ସିଦ୍ଦିକ୍। କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ ଉଭୟଙ୍କୁ ଆଜି ଭୁବନେଶ୍ବର ଏସଡିଜେଏମ୍ଙ୍କ କୋର୍ଟରେ ହାଜର କରିଥିଲା। ଏଟିଏମ୍ ଲୁଟ୍ ଘଟଣାରେ ଅଧିକ ପଚରାଉଚରା କରିବା ଲାଗି ଉଭୟଙ୍କୁ ୫ ଦିନ ଲାଗି ରିମାଣ୍ଡରେ ନେବା ପାଇଁ ଇନଫୋସିଟି ଥାନା ପୁଲିସ ଆବେଦନ କରିଥିଲା। କିନ୍ତୁ କୋର୍ଟ ତିନି ଦିନ ପାଇଁ ମଞ୍ଜୁର କରିଛନ୍ତି। ଉଭୟଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିବା ବେଳେ ଆସନ୍ତାକାଲିଠାରୁ ପୁଲିସ୍ ରିମାଣ୍ଡରେ ଆଣି ଜେରା କରିବ। ସେହିପରି ଉଭୟଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ରେକି କରାଇବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖରେ ପଟିଆ ଛକ ପିଏନ୍ବି ଏଟିଏମ୍ କାଉଣ୍ଟର୍କୁ ଦୁର୍ବୃତ୍ତ ଗ୍ୟାସ୍ କଟର୍ରେ କାଟି ଟଙ୍କା ନେଇ ଯାଇଥିଲେ। ପୁଲିସ ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ ଟେର୍ ପାଇ ନଥିଲା। ନଭେମ୍ବର ପ୍ରଥମ ସପ୍ତାହରେ ବିଶାଖାପାଟଣାରେ ସମାନ ଢଙ୍ଗରେ ଏକ ଏଟିଏମ୍ କାଉଣ୍ଟର୍କୁ ଗ୍ୟାସ କଟର୍ରେ କାଟି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାର ତଦନ୍ତ କରି ବିଶାଖାପାଟଣା ପୁଲିସ ସମରଜ୍ୟୋତ ଏବଂ ଜାଫରକୁ ବେଙ୍ଗାଲୁରୁରୁ ଗିରଫ କରିଥିଲେ। ଦୁଇ ଅଭିଯୁକ୍ତ ଭୁବନେଶ୍ବର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ନେଇ କମିସନରେଟ ପୁଲିସ ଜାଣିବା ପରେ ଏକ ଟିମ୍ ସେଠାକୁ ଯାଇଥିଲା। ଦୁଇ ଜଣ ପଟିଆ ଅଞ୍ଚଳରେ ଦୁଇଟି ହୋଟେଲରେ ରହିବା ସହ ଏକ ଗାଡ଼ି ଭଡ଼ାରେ ଆଣିଥିଲେ। ଏଟିଏମ୍ ମେସିନ୍ କାଟିବା ପାଇଁ ଗ୍ୟାସ ସିଲିଣ୍ଡର ମଧ୍ୟ ଭଡ଼ାରେ ଆଣିଥିବା ପୁଲିସ ଜାଣିବାକୁ ପାଇଥିଲା।