Wed. Jun 25th, 2025

କୋହଲିଙ୍କୁ ହରାଇଲେ ଆୟର

1 min read
Spread the love

ଦୁବାଇ: ଆଇପିଏଲ୍‌ର ଊନ୍ନବିଂଶ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଶ୍ରେୟସ୍ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ତା’ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ଦୁବାଇ ସ୍ପୋର୍ଟସ ସିଟି ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ତାରକା ଖଚିତ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୩୭ ରନ୍ କରି ପାରିଥିଲା। ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ ଓ ଆଦାମ ଜାମ୍ପାଙ୍କ ସ୍ଥାନ ନେଇଥିବା ମୋଇନ ଅଲ୍ଲୀ ବିଫଳ ହୋଇଥିଲେ। ଆରୋନ ଫିଞ୍ଚ୍‌ ମଧ୍ୟ ମାତ୍ର ୧୩ରନ୍‌ କରିପାରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ଅଧିକାଂଶ ବୋଲର ମାପଚୁପ ବୋଲିଂ କରି ଆର୍‌ସିବିକୁ ଘାଇଲା କରିଦେଇଥିଲେ।

ପାୱାର ପ୍ଲେ ଭିତରେ ୩ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଆର୍‌ସିବିର ପଶ୍ଚାତଧାବନ ଆରମ୍ଭରୁ ହିଁ ଦିଗ ହରାଇ ବସିଥିଲା। ଅଧିନାୟକ କୋହଲି (୪୩) ଏକାକୀ ଲଢ଼ିବାକୁ ‌‌‌ଚେଷ୍ଟା କରିଥିଲେ। ତେବେ କାଗିସୋ ରବାଦା ତାଙ୍କୁ ଚତୁର୍ଦଶ ଓଭରରେ ଋଷବ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ଦିଲ୍ଲୀ ବିଜୟକୁ ପକ୍କା କରି ଦେଇଥିଲେ। ସୋମବାର ଆର୍‌ସିବି ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ଏବଂ ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇଥିଲା।

Copyright © All rights reserved.