Thu. Mar 5th, 2026

ଗଭୀର ଖାତରେ ଅର୍ଥନୀତି

1 min read
Spread the love

ଭୁବନେଶ୍ବର (ଗୌତମବୁଦ୍ଧ ଦାସ) : ମହାମାରୀ କରୋନା ମାଡ଼ରେ ସାରା ବିଶ୍ବର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି ବୋଲି ସମସ୍ତେ ଜାଣିଥିଲେ। ମାତ୍ର ଅନ୍ୟସବୁ ଦେଶ ତୁଳନାରେ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ଏକପ୍ରକାର ରସାତଳଗାମୀ ହୋଇଯାଇଛି ବୋଲି ଏବେ ଏବେ ଆସିଥିବା ଆକଳନରୁ ଜଣାପଡ଼ିଛି। ଏହ‌ି ତଥ୍ୟ ଅନ୍ୟ କେହି ନୁହେଁ, ଖୋଦ୍ ଭାରତ ସରକାରଙ୍କ ପରିସଂଖ୍ୟାନ ବିଭାଗ ପ୍ରକାଶ କରିଛି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ (ଏପ୍ରିଲରୁ ଜୁନ୍)ର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଭୟଙ୍କର ଭାବେ ଚିନ୍ତାଜନକ। ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ମାଇନସ୍ ୨୩.୯% ହୋଇଛି। ୪୦ ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ଋଣାତ୍ମକ ହୋଇଛି।ଏ ବର୍ଷ ଦେଶର ଅର୍ଥନୀତି ତଳମୁହାଁ ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ଏମିତି ସଂକୁଚିତ ହୋଇଯିବ ବୋଲି କେହି କଳ୍ପନା ମଧ୍ୟ କରି ନ ଥିଲେ। ଭାରତର ଜିଡିପି ଅଭିବୃଦ୍ଧି ହାର କମିବା ପ୍ରକ୍ରିୟା ପ୍ରାୟ ଦୁଇ ବର୍ଷ ହେଲା ଆରମ୍ଭ ହୋଇଥିଲା। କମି କମି ଗତ ଆର୍ଥିକ ବର୍ଷ ଏହା ୩% ହୋଇ ଯାଇଥିଲା। ସେତେବେଳେ ବି ସରକାର ନିଜ ଦୋଷ ଦୁର୍ବଳତା ଲୁଚାଇ ଏହା ସୁଧୁରି ଯିବ ବୋଲି ଆଶା ଦେଖାଉଥିଲେ। ମାତ୍ର କରୋନା କାଳରେ ଅର୍ଥନୀତି ଗଭୀର ଖାତରେ ଖସିପଡ଼ିବା ପରେ ଏବେ ସମସ୍ତଙ୍କ ପାଟି ବନ୍ଦ ହୋଇଯାଇଛି। ଏହାର ଆଭାସ ପାଇ କିଛିଦିନ ପୂର୍ବରୁ ଖୋଦ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତ ଏହାକୁ ‘ଭଗବାନଙ୍କ ଲୀଳା’ (ଆକ୍ଟ ଅଫ୍ ଗଡ୍‌) ବୋଲି କହି ହାତ ଟେକି ଦେଇଥିଲେ।ଅବଶ୍ୟ ଏକଥା ସତ ଯେ କରୋନା ଯୋଗୁଁ ବିଶ୍ବର ସବୁ ଦେଶର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଭାରତ ଭଳି ଦୁରବସ୍ଥା ଆଉ କାହାର ହୋଇନାହିଁ। କରୋନା ଦ୍ବାରା ପ୍ରଭାବିତ ହୋଇଥିବା ବିଶ୍ବର ଅଭିବୃଦ୍ଧିଶୀଳ ୯ଟି ଦେଶକୁ ତୁଳନା କଲେ ଜିଡିପି ଅଭିବୃଦ୍ଧି କମିବାରେ ଭାରତ (+୩%ରୁ କମି ଏକାଥରେ -୨୩.୯%) ଏହି ତାଲିକାର ସବା ତଳେ ରହିଛି। ଇଂଲଣ୍ଡ(-୨୦.୪%), ଫ୍ରାନ୍ସ(-୧୩.୮%), ଇଟାଲି (-୧୨.୪%), କାନାଡ଼ା (୧୨%), ଜର୍ମାନି (-୧୦/୧%), ଆମେରିକା (-୯.୫%), ଜାପାନ (-୭.୬%) ଭଳି ଦେଶଗୁଡ଼ିକର ଅଭିବୃଦ୍ଧି ହାର କମି ଋଣାତ୍ମକ ହୋଇଯାଇଛି। ତେବେ ଭାରତ ସହ ସର୍ବାଧିକ ତୁଳନା କରାଯାଉଥିବା ଆମ ପଡ଼ୋଶୀ ଚୀନର ଅଭିବୃଦ୍ଧି ହାର କମିବା ବଦଳରେ ବଢ଼ି +୩.୨ % ହୋଇଛି।

Copyright © All rights reserved.