Tue. Jun 24th, 2025

ଘରୋଇ ବ୍ୟାଙ୍କକୁ ସରକାରୀ କାରବାର ପାଇଁ ଅନୁମତି, ଚାରି ବ୍ୟାଙ୍କ ଅଫିସର ସଂଘର ବିରୋଧ

1 min read
Spread the love

ଭୁବନେଶ୍ବର: ସବୁ ଘରୋଇ ବ୍ୟାଙ୍କକୁ ସରକାରୀ କାରବାର ଲାଗି ସରକାର ଅନୁମତି ଦେଇଛନ୍ତି। ସେହି ନିଷ୍ପତ୍ତିକୁ ଚାରିଟି ବ୍ୟାଙ୍କ ଅଫିସର ସଂଘ ବିରୋଧ କରିଛନ୍ତି। ଏଆଇବିଓସି, ଏଆଇବିଓଏ, ଆଇଏନ୍‌ବିଓସି ଓ ଏନ୍‌ଓବିଓ ପକ୍ଷରୁ ମିଳିତ ଭାବେ ଏକ ବିବୃତ୍ତି ଜାରି କରି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏହା ସମଗ୍ର ବ୍ୟାଙ୍କ ଶିଳ୍ପକୁ ଚକିତ କରିବା ଭଳି ଖବର ବୋଲି ସଂଘଗୁଡ଼ିକ କହିଛନ୍ତି। ଏହି ସୂଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍‌ କରି ଘରୋଇ ବ୍ୟାଙ୍କଗୁଡ଼ିକୁ ଦେଶର ବିକାଶର ସମାନ ସହଯୋଗୀ କହିବା ସବୁଠୁ ଚିନ୍ତାର ବିଷୟ ବୋଲି ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ଅଗ୍ରାଧିକାର କ୍ଷେତ୍ରର ଋଣ, ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା, କୃଷି ଋଣ ଆଦି କ୍ଷେତ୍ରରେ ଘରୋଇ ବ୍ୟାଙ୍କଗୁଡ଼ିକ ଉପରେ କୌଣସି ଚାପ ନଥିବା ବେଳେ ଏକ୍ଷେତ୍ରରେ ରହିଥିବା ନିୟମଗୁଡ଼ିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପାଳନ କରୁଛନ୍ତି। ଘରୋଇ ବ୍ୟାଙ୍କ ତୁଳନାରେ ସରକାରୀ ବ୍ୟାଙ୍କଗୁଡ଼ିକ ବହୁ ମାତ୍ରାରେ ଜନ ଧନ ଖାତା ଖୋଲିଛନ୍ତି। ଅଗ୍ରାଧିକାର କ୍ଷେତ୍ରକୁ କମ୍ ସୁଧରେ ଋଣ ଦେଉଥିବାରୁ ନିଜର ଘରୋଇ ବ୍ୟାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ସରକାରୀ ବ୍ୟାଙ୍କଗୁଡ଼ିକ ଦୁର୍ବଳ ରହୁଛନ୍ତି। ଘରୋଇ ବ୍ୟାଙ୍କକୁ ସରକାରୀ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଥିବାରୁ ଅଧିକ ପାଣ୍ଠି ସେମାନଙ୍କ ପାଖରେ ପହଞ୍ଚିବ ଓ ଗରିବ ଲୋକମାନଙ୍କ ମୂଲ୍ୟରେ ସେମାନଙ୍କ ଲାଭ ବୃଦ୍ଧି ପାଇବ ବୋଲି ବିବୃତିରେ କୁହାଯାଇଛି।

Copyright © All rights reserved.