ଘରୋଇ ବ୍ୟାଙ୍କରେ ହେବ ସରକାରୀ କାରବାର,
1 min read
ନୂଆଦିଲ୍ଲୀ: ସରକାରୀ କାରବାର କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ କିଛି ହାତଗଣତି ବଡ଼ ଘରୋଇ ବ୍ୟାଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ସବୁ ଘରୋଇ ବ୍ୟାଙ୍କରେ ଏହି କାରବାର କରାଯାଇପାରିବ। ଟିକସ ସଂଗ୍ରହ ଠାରୁ ଆରମ୍ଭ କରି ପେନ୍ସନ୍ ଦେବା ଭଳି କାରବାର ଘରୋଇ ବ୍ୟାଙ୍କଗୁଡ଼ିକ କରିପାରିବେ। ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଭାରତୀୟ ଅଥର୍ଅନୀତିର ବିକାଶରେ ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟ ସମାନ ସହଯୋଗୀ ହୋଇପାରିବେ। ଏହା ଦ୍ବାରା ସରକାରୀ ସାମାଜିକ କ୍ଷେତ୍ରର ଅଭିଯାନ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ଗ୍ରାହକମାନେ ମଧ୍ୟ ବହୁ ପ୍ରକାର ସୁବିଧା ପାଇପାରିବେ। ସରକାରୀ କାରବାର ନେଇ ଘରୋଇ ବ୍ୟାଙ୍କଗୁଡ଼ିକ ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ହଟାଇ ନିଆଯାଇଛି। ଏବେ ଏହି ପ୍ରକ୍ରିୟାରେ ସବୁ ଘରୋଇ ବ୍ୟାଙ୍କ ଅଂଶଗ୍ରହଣ କରିପାରିବେ ବୋଲି ଅର୍ଥମନ୍ତ୍ରୀ ଜଣାଇଛନ୍ତି।
ସରକାରୀ କାରବାର କରିବା ଲାଗି ଘରୋଇ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେବା ସମ୍ପର୍କରେ ଯେଉଁ ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଯାଇଛି। ଆଗକୁ ସରକାରୀ କାରବାର କରିବା ଲାଗି କୌଣସି ଘରୋଇ ବ୍ୟାଙ୍କକୁ ଆଉ ରିଜର୍ଭ ବ୍ୟାଙ୍କର ଅନୁମତି ନେବାକୁ ପଡ଼ିବ ନାହିଁ। ସରକାରଙ୍କ ସହ ସମ୍ପର୍କ ଥିବା ସଂସ୍ଥା ଓ ଏଜେନ୍ସିଗୁଡ଼ିକର କାରବାର ମଧ୍ୟ ଘରୋଇ ବ୍ୟାଙ୍କରେ ହୋଇପାରିବ। ଟିକସ, ରାଜସ୍ବ, ପେମେଣ୍ଟ୍ ସୁବିଧା, ପେନ୍ସନ୍, ସ୍ବଳ୍ପ ସଞ୍ଚୟ ସ୍କିମ୍ ଆଦି ସରକାରୀ କାରବାର ବର୍ଗରେ ଆସୁଛି। ଆଜି ଏହି ଖବର ପ୍ରଚାରିତ ହେବା ପରେ ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ୧୦୩୦ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ସହ ୫୦,୭୮୨ ପଏଣ୍ଟ୍ରେ ବନ୍ଦ ହୋଇଛି।