Sun. Jan 18th, 2026

ନଭେମ୍ବର ମାସରେ ଜିଏସ୍‌ଟି ଆଦାୟ ଟପିଲା ଲକ୍ଷେ କୋଟି

1 min read
Spread the love

ନୂଆଦିଲ୍ଲୀ: ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ଲାଗି ଟିକସ ଆଦାୟ କ୍ଷେତ୍ରରୁ ଖୁସି ଖବର ଆସିଛି। ନଭେମ୍ବର ମାସରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜିଏସ୍‌ଟି ଆଦାୟ ହୋଇଛି। ନଭେମ୍ବରରେ ମୋଟ ୧,୦୩,୪୯୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍‌ଟିର ଭାଗ ୧୯,୫୯୨ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୭,୧୪୪ କୋଟି ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି ପରିମାଣ ୪୯,୦୨୮ କୋଟି ଟଙ୍କା ରହିଛି। ସେସ୍‌ ବାବଦରେ ଏହି ମାସରେ ୭,୭୨୭ କୋଟି ଟଙ୍କା ଆଦାୟ କରାଯାଇଛି।

ଏହା ପୂର୍ବରୁ କ୍ରମାଗତ ଦୁଇ ମାସ ଜିଏସ୍‌ଟି ଆଦାୟ ହ୍ରାସ ପାଇଥିଲା ଯାହା ସରକାରଙ୍କ ଚିନ୍ତା ବଢ଼ାଇବାକୁ ଯଥେଷ୍ଟ ଥିଲା। ଗତ ସେପ୍ଟେମ୍ବରରେ ୯୧,୯୧୬ କୋଟି ଟଙ୍କା ଓ ଅକ୍ଟୋବରରେ ୯୫,୩୮୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ନଭେମ୍ବରରେ ସେଥିରେ ଦ୍ରୁତ ସୁଧାର ଘଟିଛି। ଗତବର୍ଷର ନଭେମ୍ବର ତୁଳନାରେ ଚଳିତ ବର୍ଷ ଅଧିକ ୬% ଜିଏସ୍‌ଟି ଆଦାୟ କରାଯାଇଛି। ୨୦୧୭ ଜୁଲାଇରେ ‌ଦେଶରେ ଜିଏସ୍‌ଟି ଲାଗୁ କରାଯାଇଥିଲା। ଏହା ପରେ ସାତ ଥର ମାସିକ ଜିଏସ୍‌ଟି ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଚଳିତ ବର୍ଷର ମାର୍ଚ୍ଚ ଓ ଏପ୍ରିଲ୍‌ରେ ଜିଏସ୍‌ଟି ଆଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥିଲା।

Copyright © All rights reserved.