ନିବେଶକଙ୍କୁ ୩୨୨୬ କୋଟି ମାଚ୍ୟୁରିଟି ରାଶି ଦେଲା ସାହାରା
1 min read
ଲକ୍ଷ୍ନୌ: ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଗତ ୭୫ ଦିନରେ ୧୦,୧୭,୧୯୪ ଜଣ ନିବେଶକଙ୍କୁ ମାଚ୍ୟୁରିଟି ରାଶି ବାବଦରେ ୩୨୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨.୧୮ ପ୍ରତିଶତ ରାଶି ବିଳମ୍ବ ନେଇ ହୋଇଥିବା ଦାବି ବାବଦରେ ଦିଆଯାଇଛି। ସାରା ଦେଶରେ ସାହାରାର ୮ କୋଟି ନିବେଶକ ଅଛନ୍ତି। ସେଥିମଧ୍ୟରୁ ବିଳମ୍ବ ନେଇ ଦାବି କରିଥିବା ନିବେଶକଙ୍କ ସଂଖ୍ୟା ହେଉଛି ମାତ୍ର ୦.୦୭ ପ୍ରତିଶତ। ବିଗତ ୧୦ ବର୍ଷରେ କମ୍ପାନି ୫,୭୬,୭୭,୩୩୯ ଜଣ ନିବେଶକଙ୍କୁ ୧,୪୦,୧୫୭.୫୧ କୋଟି ଟଙ୍କା ପ୍ରଦାନ କରିଛି। ଏଥିମଧ୍ୟରୁ ୪୦ ପ୍ରତିଶତ ମାମଲା ପୁନଃନିବେଶ ହୋଇଥିବାବେଳେ ବଳକା ପେମେଣ୍ଟ ନଗଦ ରାଶିରେ ହୋଇଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।
ସୁପ୍ରିମ୍ କୋର୍ଟଙ୍କ ତରଫରୁ ଦୀର୍ଘ ୮ ବର୍ଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରଖାଯିବାରୁ ପେମେଣ୍ଟ ପ୍ରଦାନରେ ବିଳମ୍ବ ହୋଇଛି ବୋଲି କମ୍ପାନି ସ୍ବୀକାର କରିଛି। ବର୍ତ୍ତମାନ ସୁଦ୍ଧା ସାହାରା-ସେବି ଖାତାରେ ପ୍ରାୟ ୨୨ ହଜାର କୋଟି ଟଙ୍କା ଜମା କରାଯାଇଛି। ଗତ ୮ ବର୍ଷ ଭିତରେ ୧୫୪ଟି ଖବରକାଗଜରେ ସେବି ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଜ୍ଞାପନ ଦିଆଯିବା ସତ୍ତ୍ବେ ସେବି ତରଫରୁ ନିବେଶକମାନଙ୍କୁ ମାତ୍ର ୧୦୬.୧୦ କୋଟି ଟଙ୍କା ଦିଆଯାଇଛି। ଗତବର୍ଷ ସେବି ଜଣାଇଥିଲା ଏହା ହେଉଛି ଶେଷ ବିଜ୍ଞାପନ। ଏହାପରେ ଅନ୍ୟ କୌଣସି ଦାବି ଗ୍ରହଣ କରାଯିବ ନାହିଁ। ତେଣୁ କୌଣସି ଦାବି ଆଉ ବଳକା ନାହିଁ ବୋଲି କୁହାଯାଇ ପାରିବ। ସାହାରାର ପ୍ରବକ୍ତା କହିଛନ୍ତି ଯେ, କମ୍ପାନି କେବେ ବି ଚିଟ୍ଫଣ୍ଡ୍ କାରବାରରେ ନଥିଲା। ଗଣମାଧ୍ୟମରେ ଏନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଉଛି। ସାହାରା ସର୍ବଦା ନିୟାମକ ବ୍ୟବସ୍ଥା ଅନୁଯାୟୀ କାରବାର କରୁଛି। ଆମ ପାଇଁ ନିବେଶକଙ୍କ ସ୍ବାର୍ଥ ସବୁଠୁ ଗୁରୁତ୍ବପୂର୍ଣ୍ଣ। ପ୍ରତିଟି ନିବେଶକଙ୍କୁ ଆମେ ପେମେଣ୍ଟ କରିଛୁ। ଗତ ୪୨ ବର୍ଷରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ରହିଛୁ। ସାହାରା ଉପରେ ବିଭିନ୍ନ ଦେୟ ବାବଦରେ ଯେତିକି ଟଙ୍କା ଦେବାକୁ ଅଛି ତାହାଠାରୁ ୩ ଗୁଣା ଅଧିକ ସମ୍ପତ୍ତି କମ୍ପାନି ପାଖରେ ରହିଛି ବୋଲି ସେ କହିଛନ୍ତି।