Wed. Oct 15th, 2025

ବନ୍ୟା ଉଜାଡ଼ିଦେଲା ପନିପରିବା ଚାଷ

1 min read
Spread the love

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଂଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଂଟାଇଥାଏ।

ଚଳିତ ବର୍ଷ ବର୍ଷା ଋତୁରେ ଚାଷୀ ଏହି ଅଂଚଳ ଦେଇ ପ୍ରବାହିତ ନଦୀ ପଠାରେ ଚାଷ କରିଥିଲା ବାଇଗଣ, ପୋଟଳ, ଭେଣ୍ତି, ଟମାଟୋ ଓ କାକୁଡି ଭଳି ଭଳିକି ଭଳି ପନିପରିବା, ଖର୍ଚ୍ଚ କରିଥିଲା ହଜାର ହଜାର ଟଙ୍କା। ଦିନ କେତଟା ଯାଇଥିଲେ କୋବି ଗଛ ଲଗାଯାଇଥାନ୍ତା, କିନ୍ତୁ ସବୁ ଉଜାଡି ଦେଲା ଲଘୁଚାପ ଜନିତ ଲଗାଣ ବର୍ଷା, ସାଙ୍ଗକୁ ଦାଉ ସାଜିଲା ବନ୍ୟା ଜଳ ବୋଲି ଅଭିଯୋଗ କରିଛନ୍ତି ଡାବର ପଂଚାୟତର ଚାଷୀ ପବିତ୍ର ସେଠୀ, ଫକିର ସେଠୀ, ନିରଂଜନ ସାହୁ, କଣ୍ତୁରି ବିଶ୍ବାଳ ପ୍ରମୁଖ।ସେହିପରି ସିଖର ପଂଚାୟତର ଦେବୀ ନଦୀ ଉପତ୍ୟାକାରେ ଚଳିତ ବର୍ଷ ଚାଷୀ ପୋଟଳ ବାଇଗଣ ବିନ ଓ ବିଲାତି ପ୍ରଭୃତି ଚାଷ କରିଥିଲେ। ମାଟି ଦୋରଷା କିସମର ହୋଇଥିବାରୁ ଏଠାରେ କୋବି ଚାଷ ଭଲ ହୋଇଥାଏ। ଚାଷୀ କରିଥିବା କୋବି ଚାରା ଘେର ସହିତ ପୋଟଳ ଚାଷ ବର୍ଷାରେ ବୁଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।ସେହିପରି ମୁଖ୍ୟ ଫସଲ ଲଗାଯାଇଥିବା କୋବି ତଳି ଘେରଗୁଡିକରେ ପାଣି ପଶି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହାର ଚିହ୍ନବର୍ଣ୍ଣ ବି ନାହିଁ। ଠିକ ମଂଜି ଲଗାଇବା ସମୟରେ ବର୍ଷା ଦାଉ ସାଜିଥିଲା। ଚାଷୀଙ୍କ କହିବା ଅନୁଯାୟୀ ଗୋଟିଏ ଗୁଣ୍ଠ କୋବି ଚାଷ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ, ୬୦ ଦିନ ପରେ ଗଛରେ ଫଳ ଆସିବା ଆରମ୍ଭ ହୋଇଥାଏ। ସେହିପରି ଓଷକଣା, ଡେରିକ, କୋରୁଅ, ତିରୁଣା, ବାଂଶ ପ୍ରଭୃତି ପଂଚାୟତର ପନିପରିବା ଚାଷୀ ସମାନ ଅଭିଯୋଗ କରିଛନ୍ତି।

Copyright © All rights reserved.