Wed. Jun 25th, 2025

ବିହାର ନିର୍ବାଚନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି

1 min read
Spread the love

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି। ବିହାର ନିର୍ବାଚନ ପୂର୍ବରୁ ବିହାରରେ ଲୋକମାନେ ସମ୍ମୁଖୀନ ହେଉଥିବା ଅସଲ ସମସ୍ୟା ଉପରୁ ଲୋକଙ୍କ ଧ୍ୟାନକୁ ହଟାଇବା ଉଦ୍ଦେଶ୍ୟରେ ବିଜେପି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ରାଜନୀତିକରଣ କରୁଛି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଆଜି ଅଭିଯୋଗ କରିଛନ୍ତି।

କଂଗ୍ରେସ ଦଳ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଅଭିଯୋଗ ଆଣି କହିଛନ୍ତି ଯେ ଜଣେ ଅଭିନେତାଙ୍କ ମୃତ୍ୟୁ ଘଟଣାକୁ ସଂପ୍ରତି ରାଜନୀତିକରଣ କରି ବିଜେପି ସେଥିରୁ ରାଜନୈତିକ ଫାଇଦା ହାସଲ ଲକ୍ଷ୍ୟରେ ଯେପରି ଭାବରେ ଲାଗିପଡ଼ିଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାର ତଦନ୍ତ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଦ୍ୱାରା ଚାଲିଛି ଏବଂ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ।ଅନ୍ୟପକ୍ଷରେ ଦେଶ ସମ୍ମୁଖରେ ଏବେ ବହୁ ବିଧ ସମସ୍ୟା ରହିଛି। କୋଭିଡ୍‌-୧୯ର ମୁକାବିଲାରେ ବିଜେପି ସରକାରର ବିଫଳତା ଯୋଗୁ ଦେଶ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ଦେଶର ଅର୍ଥନୀତି ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହେବା ସହ ବେକାରି ସମସ୍ୟା ଦେଶର ଯୁବ ପିଢ଼ିକୁ ଚାପ ଗ୍ରସ୍ତ କରି ରଖିଛି। ଏ ପରିସ୍ଥିତିରେ ଆଉ ଦୁଇରୁ ତିନି ମାସ ମଧ୍ୟରେ ବିହାରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିହାରରେ ସ୍ଥିତି ମଧ୍ୟ ଶୋଚନୀୟ ହୋଇପଡ଼ିଛି। ବିଜେପି ସହଯୋଗରେ ବିହାରର ଶାସନ ହାତେଇ ଥିବା ନୀତୀଶ କୁମାର ରାଜ୍ୟବାସୀଙ୍କୁ ସୁଶାସନ ଦେବାରେ ସଂପୂର୍ଣ୍ଣ ଅସମର୍ଥ ଓ ବିଫଳ ହୋଇଛନ୍ତି।ବିହାରରେ ଦେଖା ଦେଇଥିବା ସଦ୍ୟ ବନ୍ୟା ପରିସ୍ଥିତିକୁ ସମ୍ଭାଳିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ନୀତୀଶ ସରକାର ରାଜ୍ୟବାସୀଙ୍କୁ ଅକଥନୀୟ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛନ୍ତି। ଏ ପରିସ୍ଥିତିରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରିବା ସହ ଏହାର ରାଜନୀତିକରଣ କରିଦେଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୂର୍ଯେଓ୍ଵାଲା।

Copyright © All rights reserved.