ମମତାଙ୍କ ‘ମା ରୋଷେଇ ଘର’ ନିର୍ବାଚନୀ ବୈତରଣୀ ପାର କରାଇବାରେ ସହାୟକ ହେବ କି ?
1 min read
କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ହରାଇ ରାଜ୍ୟର ଶାସନ କ୍ଷମତା ନିଜ ହାତକୁ ନେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଫୁଲଦମ୍ରେ କସରତ୍ ଆରମ୍ଭ କରିଦେଇଛି। ଟିଏମ୍ସିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ନିଜ ଦଳରେ ସାମିଲ କରି ଦିଦିଙ୍କ ଉପରେ ଚାପ ସୃଷ୍ଟି କରୁଛି।
କିନ୍ତୁ, ଏଥିରେ ଦବି ନଯାଇ ଦିଦି ନିର୍ବାଚନରେ ନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ ଖେଳ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଦିଦି ଖେଳିଛନ୍ତି ଏକ ମାଷ୍ଟର ଷ୍ଟ୍ରୋକ୍। ରାଜ୍ୟର ଗରିବ ଓ ଜନତାଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲକ୍ଷ୍ୟରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆରମ୍ଭ କରିଛନ୍ତି ସବସିଡି ଯୁକ୍ତ ‘ମା’ ରୋଷେଇ ଘର। ମମତା ବାନାର୍ଜୀଙ୍କ ‘ମା’ ରୋଷେଇ ଘରେ ମାତ୍ର ୫ ଟଙ୍କା ବିନିମୟରେ ଉପଲବ୍ଧ ହେଉଛି ଭାତ, ଡାଲି, ପରିବା (ସବଜୀ) ତରକାରି ଏବଂ ଅଣ୍ଡା ତରକାରିତେବେ, ଭାରତୀୟ ନିର୍ବାଚନ ରାଜନୀତିରେ ଗରିବ ଭୋଟରଙ୍କ ଭୋଟକୁ ହାତେଇବା ଲକ୍ଷ୍ୟରେ ଏପରି ସବସିଡି ଯୁକ୍ତ କ୍ୟାଣ୍ଟିନ୍ କିଛି ନୂଆ କଥା ନୁହେଁ। ସର୍ବପ୍ରଥମେ ତାମିଲନାଡୁରେ ଏପରି ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେ ସୁପ୍ରିମୋ ସ୍ୱର୍ଗତଃ ଜୟଲଳିତା। ୨୦୧୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ତାମିଲନାଡୁରେ ଶୁଭାରମ୍ଭ କରିଥିଲେ ‘ଆମ୍ମା କ୍ୟାଣ୍ଟିନ’। ଜୟଲଳିତାଙ୍କ ‘ଆମ୍ମା କ୍ୟାଣ୍ଟିନ୍’ରେ ୧ ଟଙ୍କାରେ ଏକ ପ୍ଲେଟ୍ ଇଡଲି; ୫ ଟଙ୍କାରେ ଭାତ ଓ ସମ୍ବର; ୩ଟଙ୍କାରେ ଦହି ଓ ଭାତ ଯୋଗାଇ ଦିଆଯାଉଥିଲା। ‘ଆମ୍ମା କ୍ୟାଣ୍ଟିନ’ ଜୟଲଳିତାଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଥିଲା। ଖାସ୍ ଏହି କାରଣ ପାଇଁ ୨୦୧୪ ଲୋକସଭା ନିର୍ବାଚନଏଆଇଏଡିଏମ୍କେ ୩୯ ଟି ଲୋକସଭା ଆସନ ମଧ୍ୟରୁ ୩୭ଟି ଜିତିବା ସହ ୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କୁ ବିପୁଳ ବିଜୟ ଦେଇଥିଲା।