ରିଜର୍ଭ ବ୍ୟାଙ୍କର ଆକଳନ : ଏ ବର୍ଷ ଅଭିବୃଦ୍ଧି ବିଯୁକ୍ତ ୯.୫%
1 min read
A sign for the Reserve Bank of India (RBI) sign is displayed inside central bank's headquarters in Mumbai, India, on Thursday, Feb. 6, 2020. India's central bank left interest rates unchanged for a second straight meeting, while keeping the door open for more easing to support the economy when inflation eases. Photographer: Dhiraj Singh/Bloomberg
ମୁମ୍ବାଇ : କରୋନା ମହାମାରୀ ଦ୍ବାରା ଭାରତୀୟ ଅର୍ଥନୀତି ଭୟଙ୍କର ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୨୩.୯ ପ୍ରତିଶତ ତଳକୁ ଖସିଯାଇଥିଲା। ଉକ୍ତ ରିପୋର୍ଟ ଆସିବାର କିଛିଦିନ ପରେ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଘୋଷଣା କରାଯାଇଛି। ଏଥିରେ ଅଭିବୃଦ୍ଧିକୁ ସହାୟତା ଦେବା ଏବଂ ଦରଦାମକୁ ନିୟନ୍ତ୍ରଣରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ସର୍ବାଧିକ ଗୁରୁତ୍ବ ଦେଇଛି। ତେବେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ମାଇନସ ବା ବିଯୁକ୍ତ ୯.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ଆକଳନରେ ରହିଛି। ଅଭିବୃଦ୍ଧିରେ ଧୀରେ ଧୀରେ ସୁଧାର ଆସିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ଏଥିପାଇଁ ରେପୋ ହାର (ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ)କୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଋଣର ରିସ୍କକୁ କେବଳ ଏଲ୍ଟିଭି ସହିତ ଯୋଡ଼ାଯାଇଛି। ଏଲ୍ଟିଭି (ଲୋନ୍ ଟୁ ଭାଲ୍ୟୁ) କହିଲେ ଗୋଟିଏ ସମ୍ପତ୍ତି ମୂଲ୍ୟ ଅନୁସାରେ କେତେ ପରିମାଣର ଋଣ ବ୍ୟାଙ୍କ ଦେଇପାରିବ ତାହାକୁ ବୁଝାଯାଇଥାଏ। ଏହି ନୂଆ ବ୍ୟବସ୍ଥାରେ ବ୍ୟାଙ୍କଗୁଡ଼ିକ ୨୦୨୨ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ। ଏହାଦ୍ବାରା ଗୃହଋଣକାରୀଙ୍କୁ ଅଧିକ ପରିମାଣର ଋଣ ମିଳିବ। ବିଶେଷକରି ମୋଟା ଅଙ୍କର ଗୃହଋଣ ନେଉଥିବା ବ୍ୟକ୍ତି ଅଧିକ ଲାଭବାନ ହେବେ ବୋଲି କୁହାଯାଇଛି। ଏଥିସହିତ ବଜାରରେ ନଗଦ ଅର୍ଥର ଉପଲବ୍ଧତାକୁ ବଜାୟ ରଖିବା ପାଇଁ ଖୋଲା ବଜାରରୁ ଋଣ ସଂଗ୍ରହ ଏବଂ ଅନ୍ୟାନ୍ୟ ପଦକ୍ଷେପ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି।
ମୁଦ୍ରାନୀତି ରିପୋର୍ଟ ଘୋଷଣା କରି ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି, କରୋନା ମହାମାରୀ ବିରୋଧୀ ଲଢ଼େଇର ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ଭାରତୀୟ ଅର୍ଥନୀତି ଏବେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ସଙ୍କୋଚନ ହୋଇଛି ତାହାକୁ ଆମେ ପଛରେ ଛାଡ଼ି ସାରିଛେ। ଏବେ ଆଶାର ଆଲୋକ ଦୃଶ୍ୟମାନ ହେଲାଣି। ତେଣୁ ଏବେ ଅଭିବୃଦ୍ଧିରେ ସୁଧାର ଆଣିବା ଉପରେ ଏବେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ବିଯୁକ୍ତ ୨୩.୯ ପ୍ରତିଶତ ରହିଥିବାବେଳେ ଦ୍ବିତୀୟ ତ୍ରୟମାସରେ ଏହା ବିଯୁକ୍ତ ୯.୮ ପ୍ରତିଶତ, ତୃତୀୟ ତ୍ରୟମାସରେ ବିଯୁକ୍ତ ୫.୬ ପ୍ରତିଶତ। କିନ୍ତୁ ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ୦.୫ ପ୍ରତିଶତ ଏବଂ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୨୦.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।