Sat. Feb 28th, 2026

ଗତ ରାତିରୁ ଅନ୍ତର୍ଦ୍ଧାନ କନ୍ୟାଶ୍ରମର ୨୯ ଛାତ୍ରୀ

1 min read
Spread the love

ମୋହନା : ରହସ୍ୟମୟ ହୋଇ ରହିଛି ଗଜପତି ଜିଲ୍ଲା ମୋହନା ଅନ୍ତରବା କନ୍ୟାଶ୍ରମ ବିଦ୍ୟାଳୟରୁ ୨୯ ଛାତ୍ରୀଙ୍କ ଅନ୍ତର୍ଦ୍ଧାନ ଘଟଣା? ଗତକାଲି ରାତିରୁ ଏହି ଛାତ୍ରୀମାନେ କେଉଁଠି ଅଛନ୍ତି ତାର ଟେର୍ କେହି ପାଉନାହାନ୍ତି।

ସ୍କୁଲ କର୍ତ୍ତୃପକ୍ଷ ଜଣେ କି ଦୁଇ ଜଣ ନୁହନ୍ତି, ଏକା ବେଳକେ ଏତେ ସଂଖ୍ୟକ ପିଲା କେମିତି ଉଭାନ ହୋଇଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ଘଟଣାକୁ ନେଇ ଖାଲି ବିଦ୍ୟାଳୟ କର୍ତ୍ତୃପକ୍ଷ ନୁହଁନ୍ତି , ଜିଲ୍ଲା ପ୍ରଶାସନ ବି ଚିନ୍ତାରେ ପଡିଛି।

ଛାତ୍ରୀଙ୍କୁ ତୁରନ୍ତ ଠାବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ପୁଲିସ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବିଡିଓଙ୍କୁ ନେଇ ୪ଟି ଟିମ୍ ଆଖପାଖ ଅଞ୍ଚଳକୁ ଯାଇ ତନାଘନା ଜାରି ରଖିଛନ୍ତି। ଅଡ଼ବା ଥାନା ପକ୍ଷରୁ ଜିଲ୍ଲାର ଅନ୍ୟ ଥାନାକୁ ବି ଘଟଣା ସମ୍ପର୍କରେ ଜଣାଇ ଦିଆଯାଇଛି।

ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଲାଗି ଉଦ୍ଦିଷ୍ଟ ଏହି ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ୯ମ ଶ୍ରେଣୀର ଏହି ଛାତ୍ରୀମାନେ ହଷ୍ଟେଲ ଛାଡିଥିବା କୁହାଯାଉଛି। ତେବେ ଅବ୍ୟବସ୍ଥା ଯୋଗୁଁ ଏମାନେ ହଷ୍ଟେଲ ଛାଡ଼ିଛନ୍ତି ନା ଏହା ପଛରେ ଆଉ କିଛି ରହସ୍ୟ ଅଛି ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପିଲାମାନେ କେଉଁଠି ଓ କେଉଁ ପରିସ୍ଥିତିରେ ଅଛନ୍ତି ତାକୁ ନେଇ ଅଭିଭାବକମାନେ ବ୍ୟସ୍ତବିବ୍ରତ ହୋଇପଡିଛନ୍ତି।

ବିଦ୍ୟାଳୟ ଓ ହଷ୍ଟେଲର ଅଭାବ-ଅସୁବିଧାକୁ ନେଇ ଅନ୍ତେବାସୀ ପ୍ରତିବାଦ ଜଣାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ ଥର ଛାତ୍ରଛାତ୍ରୀ କିଲୋମିଟର କିଲୋମିଟର ଦୂର ପାଦରେ ଚାଲି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ଗୁହାରି ଜଣାଇଥିଲେ। ଗତ ବର୍ଷ ମଧ୍ୟ ଏହି କନ୍ୟାଶ୍ରମର ୪୦ ପିଲା ହଷ୍ଟେଲ ଛାଡ଼ିଥିଲେ। ମାତ୍ର ହଷ୍ଟେଲ ଛାଡିବା ପରେ ପିଲାମାନେ ନିଖୋଜ ହୋଇଯିବା ସମସ୍ତଙ୍କୁ ଚକିତ କରିଛି।

Copyright © All rights reserved.