Wed. Jun 25th, 2025

ରିଜର୍ଭ ବ୍ୟାଙ୍କ ଆକଳନ, ଜିଡିପି ୫%କୁ ଖସିବ

1 min read
Spread the love

ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ହାରକୁ ୫.୧୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରେପୋ ହାର ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଋଣ ପ୍ରଦାନ କରିଥାଏ। ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିବ ବୋଲି ଆଶା ରଖାଯାଇଥିଲା। ଏହା ହୋଇଥିଲେ ରେପୋ ହାର ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥାନ୍ତା। ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ରେପୋ ହାର କ୍ରମାଗତ ଭାବେ ୫ ଥର ହ୍ରାସ କରିଛି। ଫଳରେ କେବଳ ଚଳିତବର୍ଷ ରେପୋ ହାର ୧.୩୫ ପ୍ରତିଶତ କମିଛି। କିନ୍ତୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ଯେଉଁ ହ୍ରାସ କରିଛି ତାହାର ଲାଭ ଗ୍ରାହକଙ୍କୁ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାତ୍ରାରେ ଦେଇନାହାନ୍ତି।

ରେପୋ ହାରକୁ ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ଅପରିବର୍ତ୍ତିତ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିରୁ ରିଜର୍ଭ ବ୍ୟାଙ୍କ ଗୋଟିଏ ସ୍ପଷ୍ଟ ବାର୍ତ୍ତା ସରକାରଙ୍କୁ ଦେଇଛି ଯେ ବିକାଶ ହାରରେ ସୁଧାର ଆଣିବା ପାଇଁ ଆମ ପକ୍ଷରୁ ଏହାଠାରୁ ଅଧିକ କିଛି କରାଯାଇ ପାରିବ ନାହିଁ। ତେଣୁ ଏହା କହିବା ସହିତ ବଲ୍‌ ସରକାରଙ୍କ କୋର୍ଟକୁ ଫିଙ୍ଗିଦେଇଛି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ଯାହା କିଛି ନିଷ୍ପତ୍ତି ସରକାର ‌ନେବେ ବୋଲି ଏଥିରେ କୁହାଯାଇଛି। ତେଣୁ ବର୍ତ୍ତମାନ ନିବେଶ କ୍ଷେତ୍ରର ରହିଥିବା ପ୍ରତିବନ୍ଧକ ଗୁଡ଼ିକୁ ସରକାର ଦୂର କରିବା ଆବଶ୍ୟକ। ରେପୋ ‌ହାର ଭଳି ରିଜର୍ଭ ବ୍ୟାଙ୍କ ପଶ୍ଚାଦଗାମୀ ରେପୋ ହାରକୁ ୪.୯୦ ପ୍ରତିଶତରେ ଏବଂ ବ୍ୟାଙ୍କ ‌ହାରକୁ ୫.୪୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଗୋଟିଏ ପଟେ ରେପୋ ହାରକୁ ସ୍ଥିର ରଖିଥିବାବେଳେ ଅନ୍ୟପଟେ ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ବା ବିକାଶ ହାର ୫ ପ୍ରତିଶତକୁ କମାଇ ଦେଇଛି। ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ୬.୧ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାବେଳେ ଏବେ ଏଥିରେ ୦.୯ ପ୍ରତିଶତ ହ୍ରାସ କରିଛି। ଅଭିବୃଦ୍ଧି କମ୍ ରହିଲେ ବି ମୁଦ୍ରାସ୍ଫୀତି ପୂର୍ବ ଆକଳନଠାରୁ ଅଧିକ ରହିବ। ଏହା ୫.୧ ପ୍ରତିଶତରୁ ୪.୭ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ତେବେ ୨୦୨୦-୨୧ର ଦ୍ବିତୀୟ ତ୍ରୟମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆସନ୍ତା ମୁଦ୍ରାନୀତି ସମୀକ୍ଷା ବୈଠକ ଆସନ୍ତାବର୍ଷ ଫେବ୍ରୁଆରି ୪ ତାରିଖରେ ଆରମ୍ଭ ହେବ। ୬ ତାରିଖରେ ମୁଦ୍ରାନୀତିର ସମୀକ୍ଷା ରିପୋର୍ଟ ଘୋଷଣା ହେବ।

Copyright © All rights reserved.