Mon. Jan 19th, 2026

ଆନ୍ଧ୍ରପ୍ରଦେଶର ରହିବ ତିନିଟି ରାଜଧାନୀ; ଜଗନ ରେଡ୍ଡୀ

1 min read
Spread the love

ଅମରାବତୀ: ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ହେବ ତିନି ତିନିଟା ରାଜଧାନୀ। ଏକଥା ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି ଖୋଦ୍‌ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ୍‌ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ରାଜଧାନୀ ଥିବା ଅମରାବତୀ ସମେତ ବିଶାଖାପାଟନମ୍‌ ଓ କୁର୍ଣ୍ଣୁଲକୁ ମଧ୍ୟ ରାଜ୍ୟର ରାଜଧାନୀ ରୂପେ ବିକଶିତ କରାଯିବ ସହ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍‌ ଜଗନ୍‌ ମୋହନ ରେଡ୍ଡୀ କହିଛନ୍ତି ଯେ ଏବେ କ୍ଷମତା ଓ ଶାସନର ବିକେନ୍ଦ୍ରୀକରଣ ପାଇଁ ସ୍ୱତନ୍ତ୍ର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ତେଣୁ ଦକ୍ଷିଣ ଆଫ୍ରିକା ଢ଼ାଞ୍ଚାରେ ଆନ୍ଧ୍ରପ୍ରଦେଶର ତିନିଟି ରାଜଧାନୀ ରଖିବାକୁ ସ୍ଥିର କରାଯାଇଛି। ସେଥିପାଇଁ ଅମରାବତୀ ସମେତ ବିଶାଖାପାଟନମ୍‌ ଓ କୁର୍ଣ୍ଣୁଲକୁ ମଧ୍ୟ ରାଜ୍ୟ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ। ଅମରାବତୀ ହେବ ରାଜ୍ୟର ବିଧାନ (ଲେଜିସ୍‌ଲେଟିଭ୍‌) ରାଜଧାନୀ ଏବଂ ଏଠାରେ ରହିବ ରାଜ୍ୟ ବିଧାନସଭା। ସେହିପରି ବିଶାଖାପାଟନମ୍‌ ହେବ ରାଜ୍ୟର କାର୍ଯ୍ୟକାରୀ (ଏକ୍‌ଜିକ୍ୟୁଟିଭ୍‌) ରାଜଧାନୀ। ଏଠାରେ ରହିବ ରାଜ୍ୟ ସଚିବାଳୟ। ଏବଂ କୁର୍ଣ୍ଣୁଲ ହେବ ରାଜ୍ୟର ନ୍ୟାୟିକ (ଜୁଡିସିଆଲ) ରାଜଧାନୀ। ଏଠାରୁ ରାଜ୍ୟର ହାଇକୋର୍ଟ କାର୍ଯ୍ୟ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରେଡ୍ଡି। ତେବେ, ଏସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ବିଶେଷଜ୍ଞ କମିଟି ଓ ରାଜ୍ୟବାସୀଙ୍କ ମତାମତ ଆଧାରରେ ଏସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

Copyright © All rights reserved.