ସୁଧାରର ବର୍ଷ ହୋଇପାରେ ୨୦୨୦-୨୧ ଆର୍ଥିକ ବର୍ଷ !
1 min read
୨୦୧୯ ଭାରତୀୟ ଅର୍ଥନୀତି ଲାଗି ଏତେଟା ଭଲ ରହିନାହିଁ। ଜିଡିପି ଅଭିବୃଦ୍ଧି ହାର ୪.୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ବେଳେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଗାଡ଼ି ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଥିବା ବେଳେ ଟେଲିକମ୍ ଶିଳ୍ପ ମଧ୍ୟ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି। ବେକାରି ହାର ବଢ଼ିଥିବା ବେଳେ ଲୋକମାନେ ଖର୍ଚ୍ଚ କାଟ କରିଛନ୍ତି। ଏଭଳି ଏକ ଆହ୍ବାନପୂର୍ଣ୍ଣ ସମୟରେ ୨୦୧୯ ଶେଷ ହେବାକୁ ଯାଉଥିବା ବେଳେ ନୂଆବର୍ଷ ୨୦୨୦ ଆସୁଛି। ଏହି ବର୍ଷଟି ଦେଶର ଅର୍ଥନୀତି ଓ ଶିଳ୍ପ ଜଗତ ପାଇଁ କିଭଳି ରହିବ ତାହାକୁ ନେଇ ଆମର ଏହି ଉପସ୍ଥାପନା:
୨୦୧୯ ବର୍ଷ ଆରମ୍ଭରୁ ଅର୍ଥନୀତି ପାଇଁ ସେତେଟା ଉତ୍ସାହଜନକ ନଥିଲା। ବର୍ଷ ଶେଷବେଳକୁ ମଧ୍ୟ କୌଣସି ଭଲ ଲକ୍ଷଣ ଦେଖିବାକୁ ମିଳିନାହିଁ। ସରକାର ଯେତେସବୁ ପଦକ୍ଷେପ ବର୍ଷସାରା ନେଲେ ତାହାର ସୁଫଳ ଅର୍ଥନୀତିକୁ ମିଳିପାରିଲା ନାହିଁ। ବରଂ ଅଭିବୃଦ୍ଧି ଠାରୁ ଆରମ୍ଭ କରି ଟିକସ ରାଜସ୍ବ, ବିକ୍ରିବଟା ଏବଂ ଦରବୃଦ୍ଧି ଆଦି ସମସ୍ୟାରେ ଅର୍ଥନୀତି ଘାଣ୍ଟି ହେଲା। ଯେଉଁ ମାତ୍ରାରେ ଏସବୁ ତଥ୍ୟ ପ୍ରକାଶ ପାଇଲା ତାହା ଲୋକଙ୍କୁ ଅଧିକାଂଶ ସମୟରେ ନିରାଶ ମଧ୍ୟରେ ରଖିଥିଲା। ୨୦୧୯ ଆଉ କିଛି ଘଣ୍ଟା ପରେ ବିଦାୟ ନେବ ଏବଂ ୨୦୨୦ ଆରମ୍ଭ ହେବ। ନୂଆବର୍ଷ ଅର୍ଥନୀତି ପାଇଁ କେମିତି ରହିବ ତାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଆଶା ଓ ଆଶଙ୍କା ଦେଖାଦେଇଛି। ତେବେ କେତେକ ବିଶେଷଜ୍ଞ ଏବଂ ବିଶ୍ଳେଷକଙ୍କ ମତରେ ଅର୍ଥନୀତିରେ ୨୦୧୯ ମସିହା ଭଳି ୨୦୨୦ରେ ଯନ୍ତ୍ରଣା ଲାଗି ରହିପାରେ। ପ୍ରଥମାର୍ଦ୍ଧ ଅଧିକ କଷ୍ଟଦାୟକ ରହିବ। ପରେ ଅବସ୍ଥାରେ ହୁଏତ କିଛିଟା ସୁଧାର ଆସିପାରେ। ତେବେ ତାହା ଆଶାନୁରୂପ ହେବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି।