Wed. Jun 25th, 2025

ଓଡ଼ିଶା ପାଇଁ ନାବାର୍ଡର ୯୦ ହଜାର କୋଟିର ବାର୍ଷିକ ଋଣ ଯୋଜନା

1 min read
Spread the love

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ (୨୦୨୦-୨୧)ରେ ରାଜ୍ୟର ଅଗ୍ରାଧିକାର ‌କ୍ଷେତ୍ରକୁ ୯୦, ୩୯୫ କୋଟି ଟଙ୍କାର ଋଣ ପ୍ରଦାନ କରିବାର ସୁଯୋଗ ରହିଛି ବୋଲି ଆଜି ନାବାର୍ଡ ପକ୍ଷରୁ କୁହାଯାଇଛି। ନାବାର୍ଡ ପକ୍ଷରୁ ଆୟୋଜିତ ରାଜ୍ୟ ଋଣ ସେମିନାରରେ ଏହି ଆକଳନ ରିପୋର୍ଟକୁ ପ୍ରକାଶ କରାଯାଇଛି। ୨୦୧୯-୨୦ ତୁଳନାରେ ଏଥର ଆକଳନରେ ୨୦% ବୃଦ୍ଧି ଘଟିଛି। ନାବାର୍ଡ ରିପୋର୍ଟ ଅନୁସାରେ, ୨୦୨୦-୨୧ରେ କୃଷି ‌ଋଣ ପାଇଁ ୪୦,୨୨୭ କୋଟି ଟଙ୍କା, କୃଷି ଭିତ୍ତିଭୂମି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଯଥାକ୍ରମେ ୧୬୦୩ କୋଟି ଟଙ୍କା ଓ ୧୪୫୦ କୋଟି ଟଙ୍କା ଓ ଏମ୍ଏସ୍‌ଏମ୍ଇ କ୍ଷେତ୍ର ପାଇଁ ୩୦,୪୫୭.୯୯ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ମୋଟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଜନାରେ କୃଷି କ୍ଷେତ୍ରର ଭାଗ ୪୭.୮୮%, ମିଆଦୀ ଋଣ ୩୧%, ଏମ୍ଏସ୍‌ଏମ୍ଇ ୩୩.୬୯% ଓ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରର ଭାଗ ୧୮.୪୩% ରହିଛି। ରପ୍ତାନି, ଶିକ୍ଷା, ବାସଗୃହ, ଅକ୍ଷୟ ଶକ୍ତି, ସାମାଜିକ ଭିତ୍ତିଭୂମି ଆଦି କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର କ୍ଷେତ୍ର ଭାବେ ବିଚାର କରାଯାଉଛି।ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ନାବାର୍ଡ ପକ୍ଷରୁ ୮୯୬୩.୩୧ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୦-୨୧ରେ ଜଳସେଚନରେ ୪୮୧୪.୯୬ କୋଟି ଟଙ୍କା, ଗ୍ରାମାଞ୍ଚଳରେ ସଂଯୋଗ ପ୍ରଦାନ କରିବାରେ ୨୧୬୯.୪୭ କୋଟି ଟଙ୍କା, ଗୋଦାମରେ ୩୦୫.୬୫ କୋଟି ଟଙ୍କା, କୃଷି ଭିତ୍ତିଭୂମିରେ ୨୫୮.୮୫ କୋଟି ଟଙ୍କା, ପଶୁ ସମ୍ପଦରେ ୮୯.୪୮ କୋଟି ଟଙ୍କା, ମତ୍ସ୍ୟଚାଷରେ ୫୨.୯୪ କୋଟି ଟଙ୍କା ଏବଂ ସାମାଜିକ କ୍ଷେତ୍ରର ଭିତ୍ତିଭୂମି ବିକାଶ ଦିଗରେ ୧୨୭୧.୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରିବାର ସୁଯୋଗ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ନିମନ୍ତେ ନାବାର୍ଡ ୭୫,୬୧୧.୯୭ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରିଥିଲା। ସେଥି ମଧ୍ୟରୁ କୃଷି ଋଣ ପାଇଁ ୪୧,୩୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ସ୍ତରୀୟ ବ୍ୟାଙ୍କିଙ୍ଗ କମିଟି (ଏସ୍‌ଏଲ୍‌ବିସି)ର ତଥ୍ୟ ଅନୁଯାୟୀ, ବ୍ୟାଙ୍କ ଓ ଅନ୍ୟ ସମସ୍ତ ଏଜେନ୍ସି ମିଳିତ ଭାବେ କୃଷି‌ କ୍ଷେତ୍ର କୃଷି କ୍ଷେତ୍ର ୩୭.୬୯% ଓ ମୋଟ ଅଗ୍ରାଧିକାର କ୍ଷେତ୍ରର ୫୨.୬୧% ଲକ୍ଷ୍ୟ ହାସଲ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଚାଷୀମାନଙ୍କ ଆୟରେ ବିବିଧତା ଆଣିବା ଓ ସମ୍ପତ୍ତି ସୃଷ୍ଟି କରିବା ଲାଗି ପଶୁପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଭଳି କ୍ଷେତ୍ରକୁ ଅଧିକ ମିଆଦୀ କୃଷି ଋଣ ଦେବା ଦରକାର। ଏହି ଅବସରରେ ଅର୍ଥ ବିଭାଗର ପ୍ରମୁଖ ସଚିବ କେ କେ ମିନା, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ‌ଏମ୍ କେ ମଲ୍ଲ, ନାବାର୍ଡର ସିଜିଏମ୍ ଏ ଚନ୍ଦ୍ରଶେଖର, ଏସ୍‌ବିଆଇର ସିଜିଏମ୍ ପ୍ରବୀଣା କାଲା ଓ ଏସ୍‌ଏଲ୍‌ବିସିର ଜିଏମ୍ ସଞ୍ଜୟ କୁମାର ଉପସ୍ଥିତ ଥିଲେ।

Copyright © All rights reserved.