Wed. Jun 25th, 2025

ଏହି ସବୁ କାରଣ ଲାଗି ଦିଲ୍ଲୀରେ ହାରିଲା ବିଜେପି

1 min read
Spread the love

ନୂଆଦିଲ୍ଲୀ: ଦିଲ୍ଳୀ‌ରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌ ପୁଣିଥରେ କ୍ଷମତାକୁ ଆସିବେ ବୋଲି ସମସ୍ତ ଏକ୍‌ଜିଟ୍‌ ପୋଲ୍‌ର ଆକଳନ ସତ୍ୟ ସାବ୍ୟସ୍ତ ହୋଇଛି। କେଜ୍ରିୱାଲ୍‌ ଲଗାତାର ତୃତୀୟ ଥର ପାଇଁ ବିପୁଳ ବିଜୟ ହାସଲ କରିଛନ୍ତି। ବହୁ କସରତ ସତ୍ତ୍ବେ ବିଜେପି ନିଜର ଲକ୍ଷ୍ୟ ପୂରଣ କରିପାରି ନାହିଁ କି ୭୦ ଆସନରୁ ୧୦ଟି ଆସନ ବି ହାସଲ କରବାକୁ ସକ୍ଷମ ହୋଇନାହିଁ। ବିଜେପିର ଚାଣକ୍ୟ ଅମିତ ଶାହ କେଜ୍ରିୱାଲ୍‌ଙ୍କ ପାଇଁ ଚଳିତ ଥର ବଡ଼ ଚ୍ୟାଲେଂଜ ହେବେ ବୋଲି କୁହାଯାଉଥିଲା। ତେବେ କେଜ୍ରିୱାଲଙ୍କ ସୁଚିନ୍ତିତ ରଣନୀତି ବିଜେପିର ସବୁ ଯୋଜନାକୁ ପଣ୍ଡ କରିଦେଲା।

ପ୍ରଥମତଃ, ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥିଲା। କେଜ୍ରିୱାଲ୍‌ଙ୍କୁ ବ୍ୟକ୍ତିଗତ ଭାବେ‌ ଯେତେ ପ୍ରହାର କରାଯାଇଛି ସେ‌ ସେତେ ଅଧିକ ଭୋଟ୍‌ ହାତେଇବାରେ ସକ୍ଷମ ହୋଇଥିବା କୁହାଯାଉଛି।

ଦ୍ବିତୀୟ କାରଣ ହେଉଛି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ବିଜେପିର କେହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି ବୋଲି ଆପ୍‌ ଦିଲ୍ଲୀ ଜନତାଙ୍କ ମଧ୍ୟରେ ଅତି ସହଜରେ ବିଶ୍ବାସ ଜନ୍ମାଇବାରେ ସଫଳ ହେଲା। ଫଳରେ ଦିଲ୍ଲୀ ବାସିନ୍ଦା ଆପ୍‌କୁ ପସନ୍ଦ କଲେ।

ତୃତୀୟ କାରଣ ହେଉଛି ୨୦୧୭ ଏମ୍‌ସିଡି ନିର୍ବାଚନରେ ଆପ୍‌ ହା‌ରିବା ପରଠାରୁ ବିଧାନସଭା ନିର୍ବାଚନ ପାଇଁ ସତର୍କତାର ସହ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବିଜେପି ପ୍ରାର୍ଥିପତ୍ର ଦାଖଲ କରିବାପରେ ହିଁ ନିର୍ବାଚଚ ପ୍ରଚାର ଆରମ୍ଭ କଲା। ୨୦୧୩ରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ଆପ୍‌ ଦେଇଥିବା ମାଗଣା ବିଦ୍ୟୁତ୍‌ ଏବଂ ପାଣି ପ୍ରତିଶ୍ରୁତି ୨୦୧୫ରେ ଏକ ମାଷ୍ଟର ଷ୍ଟ୍ରୋକ୍‌ ଭଳି କାମକଲା। ୨୦୨୦ରେ ମଧ୍ୟ ଦିଲ୍ଲୀ ଜନସାଧାରଣ ଏହି କାରଣ ପାଇଁ ମଧ୍ୟ ଆପ୍‌କୁ ଭୋଟ୍‌ ଦେଇଛନ୍ତି।

ଦିଲ୍ଲୀ ଜନସଂଖ୍ୟାର ୧୪ ପ୍ରତିଶତ ‌ହେଉଛନ୍ତି ମୁସଲିମ୍‌। ବିଜେପିକୁ ହରାଇବାପାଇଁ ଯେଉଁ ଦଳ ଆଗୁଆ ଥାଏ ସଂଖ୍ୟାଲଘୁମାନେ ନିର୍ଦ୍ଦିଷ୍ଟ ଭାବେ ସେହି ଦଳକୁ ଭୋଟ୍‌ ଦେଉଥିବା ନଜିର ରହିଛି। ଦିଲ୍ଲୀରେ ଦିନେ କଂଗ୍ରେସ ରାଜୁତି କରୁଥିଲା। ମୁସଲିମ ଭୋଟ କଂଗ୍ରେସକୁ ମିଳୁଥିଲା। କିନ୍ତୁ ୨୦୧୫ ପରେ ସବୁ ବଦଳିଗଲା। ଚଳିତ ଥର ମୁସଲିମ ଭୋଟରଙ୍କ ପ୍ରଥମ ପସନ୍ଦରେ ଆପ୍‌ ରହିଥିଲା। ମୋଦୀ ସରକାରଙ୍କ ନୀତିକୁ ବିରୋଧ କରି ମୁସଲିମମାନେ କେବଳ ବିଜେପିକୁ ହଟାଇବାପାଇଁ ଆପ୍‌କୁ ଭୋଟ୍‌ ଦେଇଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଜେପିର ନକାରାତ୍ମକ ପ୍ରଚାର ପାଇଁ ଅନେକ ମଧ୍ୟବିତ୍ତ ଶ୍ରେଣୀର ବିଜେପି ସମର୍ଥକ କ୍ଷୁବ୍ଧ ହୋଇଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ହନୁମାନ ଚାଳିଶା ପାଠ ହିନ୍ଦୁ ଭୋଟ୍‌ରଙ୍କ ମନ ଜିଣିଥିଲା।

Copyright © All rights reserved.