Wed. Jun 25th, 2025

ସରକାରଙ୍କୁ ଏବେ ରାଜସ୍ବ ଅଭାବ ଚିନ୍ତା

1 min read
Spread the love

ମୁମ୍ବାଇ: ସରକାରଙ୍କୁ ଏବେ ରାଜସ୍ବ ଅଭାବ ଚିନ୍ତା ଘାରିଛି। ଅର୍ଥନୀତି ମନ୍ଥର ହୋଇଥିବା କାରଣରୁ ସରକାର ଆବଶ୍ୟକ ପରିମାଣର ଟିକସ ଆଦାୟ କରିପାରୁନାହାନ୍ତି। ତେଣୁ ଧାର୍ଯ୍ୟ ରାଜସ୍ବ ଆଦାୟ ପାଇଁ ସରକାର ବିମୁଦ୍ରୀକରଣ ବେଳେ ସୁନା ଦୋକାନୀମାନେ କରିଥିବା ବିକ୍ରି ଉପରେ ଏବେ ନଜର ପକାଇଛନ୍ତି। ସେମାନେ ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ‌କରି ଦେଇଥିଲେ। ଅଚଳ ଟଙ୍କାକୁ ସଚଳ କରିବା ପାଇଁ ଅନେକ ବ୍ୟକ୍ତି ସେହିଦିନ ରାତିରେ ବିପୁଳ ପରିମାଣର ସୁନା ଏବଂ ଅନ୍ୟ ମୂଲ୍ୟବାନ ଧାତୁର ଗହଣା କିଣିଥିଲେ। ତେବେ ସେହିଦିନର ଗହଣା ବିକ୍ରିକୁ ନେଇ ଏବେ ବ୍ୟବସାୟୀମାନେ ଅଡ଼ୁଆରେ ପଡ଼ିଛନ୍ତି। ଆୟକର ବିଭାଗ ପକ୍ଷରୁ ସେମାନଙ୍କୁ ନୋଟିସ ପଠାଯାଇଛି।

ଜଣେ ଗହଣା ବ୍ୟବସାୟୀ କହିଛନ୍ତି, ୨୦୧୬ ନଭେମ୍ବର ୮ ତାରିଖ ରାତିରେ ତାଙ୍କ ସୋରୁମ୍‌ର ସମସ୍ତ ଗହଣା ବିକ୍ରି ହୋଇଯାଇଥିଲା। ଏପରିକି ସେ ଅଧିକ ଦାମରେ ଗହଣା ବିକ୍ରି କରି ପାରିଥିଲେ। ଦୁଇ ସପ୍ତାହରେ ଯେତିକି ମୂଲ୍ୟର ଗହଣା ବିକ୍ରି କରନ୍ତି ‌ମାତ୍ର କେତେ ଘଣ୍ଟାରେ ତାହା କରିବାକୁ ସକ୍ଷମ ହୋଇଥିଲେ। ତିନି ମାସ ପୂର୍ବରୁ ତାଙ୍କୁ ଟିକସ ବିଭାଗରୁ ନୋଟିସ ଆସିଛି। ତାଙ୍କୁ ବିମୁଦ୍ରୀକରଣ ଦିନର ଆୟ ଜଣାଇବା ପାଇଁ କୁହାଯାଇଛି। ଜୈନ ସଂଜ୍ଞାଧାରୀ ଏହି ବ୍ୟବସାୟୀଙ୍କ ଭଳି ପ୍ରାୟ ୧୫ ହଜାର ଗହଣା ବ୍ୟବସାୟୀଙ୍କୁ ଟିକସ ନୋଟିସ ଦିଆଯାଇଛି ବୋଲି ଭାରତୀୟ ଗହଣା ବ୍ୟବସାୟୀ ସଂଘର ସଚିବ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି। ତେବେ ସିବିଡିଟି କିମ୍ବା ଅର୍ଥ ମନ୍ତ୍ରାଳୟର ମତାମତ ଏହା ଉପରେ ମିଳିପାରିନାହିଁ।

Copyright © All rights reserved.