Wed. Jun 25th, 2025

ପେଟ୍ରୋଲ୍ ଦରବୃଦ୍ଧି ପୁଣି ଆରମ୍ଭ

1 min read
Spread the love

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍‌ ଦାମ୍‌ରେ ବୃଦ୍ଧିର ଧାରା ପୁଣି ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ବିଗତ ତିନି ଦିନ ଧରି କ୍ରମାଗତ ଭାବେ ପେଟ୍ରୋଲ୍‌ ଦାମ୍ ବଢ଼ୁଛି। ଭୁବ‌ନେଶ୍ବରରେ ବିଏସ୍‌-୬ ପେଟ୍ରୋଲର ଲିଟର ପିଛା ଦାମ୍ ୮୧ ଟଙ୍କା ୪୪ ପଇସା ହୋଇଥିବା ବେଳେ ଡିଜେଲ୍‌ ଦାମ୍ ୮୦ ଟଙ୍କା ୩ ପଇସା ରହିଛି। ପେଟ୍ରୋଲ୍‌ ଓ ଡିଜେଲ ଦାମ୍‌ରେ ଥିବା ଅନ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ଜୁନ୍ ୨୯ ପରଠାରୁ ପେଟ୍ରୋଲ୍ ଦାମ୍‌ରେ ୪୭ ଦିନ ପର୍ଯ୍ୟନ୍ତ ବୃଦ୍ଧି ହୋଇନଥିଲା। ଏହା ପରେ ପ୍ରଥମ ଥର ଲାଗି ଗତ ରବିବାର ପେଟ୍ରୋଲ୍‌ ଦାମ୍ ୧୪ ପଇସା ବଢ଼ିବା ସହ ଦରବୃଦ୍ଧିର ଆଉ ଏକ ଧାରା ଆରମ୍ଭ ହୋଇଯାଇଛି। ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ରାଜ୍ୟ ଓ କେନ୍ଦ୍ର ସରକାର ମୋଟା ଅଙ୍କର ଟିକସ ଲଗାଇଥିବାରୁ ଦାମ୍‌ କମ୍ ହେଉନାହିଁ। କରୋନା ମହାମାରୀ ପ୍ରଭାବରେ ବିଭିନ୍ନ ଉତ୍ସରୁ ସରକାରଙ୍କ ରାଜସ୍ବ ଆୟ ହ୍ରାସ ପାଇଥିବାରୁ ପେଟ୍ରୋଲ୍ ଓ ଡିଜେଲ୍‌ ବିକ୍ରିରୁ ମିଳୁଥିବା ରାଜସ୍ବକୁ ହାତଛଡ଼ା କରିବା ଲାଗି ସରକାର ଚାହିବେ ନାହିଁ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍‌ ବୃଦ୍ଧି ପାଉଥିବାରୁ ଦେଶ ଭିତରେ ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ୍ ବୃଦ୍ଧି ପାଉଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ମଧ୍ୟ ଏଥିପାଇଁ କିଛିକାଂଶରେ ଦାୟୀ। ଡଲାର ମହଙ୍ଗା ଥିବାରୁ ସମାନ ପରିମାଣର ଅଶୋଧିତ ତେଲ କିଣିବା ଲାଗି ଭାରତୀୟ ମୁଦ୍ରାରେ ଅଧିକ ଅର୍ଥରାଶି ଗଣିବାକୁ ପଡ଼ୁଛି। ‌ଭାରତ ଏହାର ମୋଟ ତୈଳ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ଜରିଆରେ ପୂରଣ କରୁଥିବାରୁ ଅଶୋଧିତ ତେଲ ଦାମ୍‌ରେ ବୃଦ୍ଧି ଘଟିଲେ ତାହାର ସିଧାସଳଖ ପ୍ରଭାବ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ପ୍ରତିଫଳିତ ହେଉଛି। ନୂଆଦିଲ୍ଲୀରେ ଅ‌ାଜି ପେଟ୍ରୋଲ୍‌ ଦାମ୍ ୧୭ ପଇସା ବୃଦ୍ଧି ପାଇ ୮୦ ଟଙ୍କା ୯୦ ପଇସା ‌ହୋଇଛି। ଡି‌ଜେଲ ଦାମ୍‌ ଏବେ ଏକ ପ୍ରକାର ସ୍ଥିର ରହିଛି। ଏହି ଇନ୍ଧନ ଦର ଉଚ୍ଚ ସ୍ତରରେ ପହଂଚିଥିବାରୁ ତାହାର ଚାହିଦା ହ୍ରାସ ପାଇଛି। ଚଳିତ ମାସର ପ୍ରଥମ ୧୫ ଦିନରେ ଡିଜେଲ୍ ଚାହିଦା ବହୁତ ହ୍ରାସ ପାଇଛି। ଡିଜେଲ୍‌ ବିକ୍ରିରୁ ଅର୍ଥନୀତିର ଏକ ପ୍ରମୁଖ ମାନଦଣ୍ଡ ଭାବେ ବିଚାର କରାଯାଏ। କାରଣ ଗମନାଗମନ ଓ ପରିବହନ କ୍ଷେତ୍ରରେ ଏହା ବିପୁଳ ମାତ୍ରାରେ ବ୍ୟବହାର ‌ହୋଇଥାଏ। ଡିଜେଲ ବିକ୍ରିରେ ହ୍ରାସର ପରୋକ୍ଷ ଅର୍ଥ ହେଉଛି ଅର୍ଥନୀତିର ଗାଡ଼ି ଠିକ୍ ଭାବେ ଚାଲୁନାହିଁ। କରୋନା ମହାମାରୀ ପ୍ରଭାବରେ ଯେଉଁ ସଙ୍କଟ ଦେଖାଦେଇଛି ସେଥିରେ ସୁଧାରର ସଙ୍କେତ ଦେଖିବାକୁ ମିଳୁନାହିଁ।

Copyright © All rights reserved.