ଲକ୍ଡାଉନ୍ରେ ଜମ୍ତରା ଗ୍ୟାଙ୍ଗ୍ର ଉତ୍ପାତ, ଅସହାୟତା ପ୍ରକାଶ କଲେ ପୁଲିସ୍ କମିସନର୍
1 min read
ଭୁବନେଶ୍ୱର: ଉତ୍ପାତ କଲେଣି ଜମ୍ତରା ଗ୍ୟାଙ୍ଗ୍। ଯୋଜନ ଯୋଜନ ଦୂରରେ ବସି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ରାଜଧାନୀ ସମେତ ପୂରା ରାଜ୍ୟରେ ଏହି ଠକଙ୍କ ବିରୋଧରେ ଶତାଧିକ ମାମଲା ରୁଜୁ ହୋଇଥିଲେ ହେଁ ପୁଲିସ୍କୁ ସଫଳତା ମିଳି ପାରୁନାହିଁ। ଲୁଟ୍ ବେଳେ ସେମାନେ ଏମିତି ତରିକା ଆପଣାଉଛନ୍ତି, ଯାହାଦ୍ବାରା ପୁଲିସ୍ ସେମାନଙ୍କ ଟେର୍ ପାଇପାରୁନାହିଁ। ଏକମାତ୍ର ସୁରାକ୍ ମୋବାଇଲ ନମ୍ବରକୁ ଧରି ପୁଲିସ୍ ରାଜ୍ୟରୁ ରାଜ୍ୟ ବୁଲୁଛି। କିନ୍ତୁ ‘ହତାଶ’ ଛଡ଼ା ଆଉ କିଛି ମିଳୁନାହିଁ। କରୋନା କାଳରେ ଏହି ଗ୍ୟାଙ୍ଗ୍ର ଉତ୍ପାତ ସବୁଠାରୁ ବେଶି ଥିଲା। ଚଳିତବର୍ଷ କେବଳ ଦ୍ବୈତନଗରୀ (କଟକ-ଭୁବନେଶ୍ବର)ରେ ଏମିତି ଜମ୍ତରା ଗ୍ୟାଙ୍ଗ୍ ଦ୍ବାରା ଶିକାର ୧୦୦ରୁ ଊର୍ଧ୍ବ ମାମଲା ରୁଜୁ ହୋଇଛି। ତେବେ ପଞ୍ଜୀକୃତ ମାମଲାଠାରୁ ଠକେଇ ସଂଖ୍ୟା ଢେର୍ ଅଧିକ ବୋଲି ଜଣାଯାଇଛି। ସମ୍ମାନ ଦୃଷ୍ଟିରୁ ଅନେକ ଅଭିଯୋଗ ଥାନାକୁ ଆସିନାହିଁ। ତେବେ ଲୁଟେରାଙ୍କ ପର୍ଦ୍ଦାଫାସ୍ କରିବା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ମୋବାଇଲ୍ ଅପରେଟରଙ୍କଠାରୁ ମଧ୍ୟ ଆଶାନୁରୂପ ସହଯୋଗ ମିଳୁ ନଥିବାରୁ ଲୁଟେରାମାନେ ଗୋଟାଏ ପରେ ଗୋଟାଏ ଅପରାଧ ଘଟାଇ ଚାଲିଛନ୍ତି। ପୁଲିସ୍ ସେବା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏଭଳି କହି ନିଜର କ୍ଷୋଭ ଓ ଅସହାୟତା ପ୍ରକାଶ କରିଛନ୍ତି।
ପୁଲିସ କମିସନର୍ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଠକେଇର ଶିକାର ହୋଇଥିବା ଲୋକ ପାଖରେ ଲୁଟେରା ବାବଦରେ କୌଣସି ସୂଚନା ରହୁନାହିଁ। ଏକମାତ୍ର ସୁରାକ୍ ମୋବାଇଲ୍ ନମ୍ବରକୁ ଧରି ପୁଲିସ୍ ତଦନ୍ତ କରୁଛି। ତଦନ୍ତ ବେଳେ ଜଣାପଡ଼ୁଛି କି ଲୁଟେରା ଡାର୍କୱେବ୍ ଜରିଆରେ ଲୋକଙ୍କୁ ଫୋନ୍ କରୁଛି। ଫଳରେ ସେମାନଙ୍କୁ ଧରିବା କଷ୍ଟ ହେଉଛି। ଆଉ କେତୋଟି ମାମଲାରେ ଯେଉଁ ସିମ୍କାର୍ଡ ବ୍ୟବହାର ହେଉଛି, ତାହାର ମା’ ବାପା କେହି ନାହାନ୍ତି। ସିମ୍ କାର୍ଡ ଯାହା ନାଁରେ ରେଜିଷ୍ଟର୍ ହୋଇଛି, ସେ ଲୋକ ମୃତ କିମ୍ବା ଦିଆଯାଇଥିବା ଡକ୍ୟୁମେଣ୍ଟ ନକଲି। ଆଉ କେତେକ ମାମଲାରେ ପ୍ରି-ଆକ୍ଟିଭେଟେଡ୍ ସିମ୍ ବ୍ୟବହାର ହୋଇଛି। ଯାହା ସହଜରେ ୫ଶହ ଟଙ୍କାରେ ମିଳି ଯାଉଛି। ଫଳରେ ଠକକୁ ଧରିବା ସମ୍ଭବ ହେଉ ନାହିଁ।