Sat. Feb 28th, 2026

ଅଫ୍‌ଲାଇନ୍‌ରେ ବିନା ସ୍ପର୍ଶରେ ପେମେଣ୍ଟ୍‌ କରିହେବ

1 min read
Spread the love

ନୂଆଦିଲ୍ଲୀ : ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋ‌ରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଡିଜିଟାଲ୍‌ ପେମେଣ୍ଟ୍‌କୁ ଅଧିକ ଆକର୍ଷଣୀୟ କରିବା ଲାଗି ନିୟମିତ ବ୍ୟବଧାନରେ ନୂଆ ନୂଆ ସୁବିଧା ଯୋଡ଼ୁଛି। ଏବେ ରୁପେ କାର୍ଡଧାରୀଙ୍କ ପାଇଁ ସ୍ପର୍ଶବିହୀନ ଅଫ୍‌ଲାଇନ୍ ପେମେଣ୍ଟ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଦ୍ବାରା ଯେଉଁ ସବୁ ସ୍ଥାନରେ ଇଣ୍ଟରନେଟ୍ ଦୁର୍ବଳ ରହିବା ଯୋଗୁଁ ଅନ୍‌ଲାଇନ୍ ଡିଜିଟାଲ୍ କାରବରେ ଅସୁବିଧା ହେଉଛି ସେହି ସବୁ ସ୍ଥାନରେ ଅତି ସହଜରେ ଅଫ୍‌ଲାଇନ୍‌ରେ ପେମେଣ୍ଟ୍ କରିହେବ। ଅର୍ଥାତ ପେମେଣ୍ଟ୍‌ କରିବା ସମୟରେ ଇଣ୍ଟରନେଟ୍‌ ସଂଯୋଗ ଦରକାର ପଡ଼ିବ ନାହିଁ।

ଏହା ଦୂରଦୂରାନ୍ତ ଏବଂ ଦୁର୍ବଳ ଇଣ୍ଟରନେଟ୍ ସୁବିଧା ଥିବା ଅଞ୍ଚଳର ଉଭୟ ଗ୍ରାହକ ଓ ଦୋକାନୀମାନଙ୍କ ପାଇଁ ବିଶେଷ ସହାୟକ ହେବ। ରୁପେ କାର୍ଡଧାରୀମାନେ ନ୍ୟାସନାଲ୍ କମନ ମୋବିଲିଟି କାର୍ଡ (ଏନ୍‌ସିଏମ୍‌ସି) ଜରିଆରେ ଅଫ୍‌ଲାଇନ୍ କାରବାର ଲାଗି ଟଙ୍କା ରଖିପାରିବେ। ଯେଉଁ ସବୁ ସ୍ଥାନରେ ଦୁର୍ବଳ ସଂଯୋଗ ଯୋଗୁଁ ପିଓଏସ୍‌ ମେସିନ୍‌ରେ ପେମେଣ୍ଟ୍ ସମ୍ଭବ ହେବ ନାହିଁ ସେଠାରେ ବ୍ୟବହାରକାରୀ ଅଫ୍‌ଲାଇନ୍ ପେମେଣ୍ଟ୍‌ କରିପାରିବେ। ଏନ୍‌ସିଏମ୍‌ସି ୱାଲେଟ୍‌କୁ ଲୋକମାନେ ବସ୍‌ ଟିକଟ କିଣିବା, କ୍ୟାବ୍ ଭଡ଼ା ଦେବା କିମ୍ବା ମେଟ୍ରୋ ଟିକଟ୍ କିଣିବା ଭଳି କାମ ପାଇଁ ବ୍ୟବହାରକ ରିପାରିବେ। କାର୍ଡ ଜରିଆରେ ହେଉଥିବା କାରବାର ତୁଳନାରେ ଏଥିରେ ଆହୁରି ଶୀଘ୍ର ପେମେଣ୍ଟ୍ ହୋଇପାରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ମଞ୍ଜୁରି ହାସଲ କରିବା ପରେ ଏହି ବ୍ୟବସ୍ଥାକୁ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଛି। ଏହା ଟ୍ୟାପ୍ ଆଣ୍ଡ୍‌ ଗୋ’ ମୋଡ୍‌ରେ ଉପଲବ୍ଧ ହେବ। ଫଳରେ ପେମେଣ୍ଟ୍‌ କରିବାରେ ଲାଗୁଥିବା ସମୟ ହ୍ରାସ ପାଇବ।

Copyright © All rights reserved.