ରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନ ଫେବ୍ରୁଆରି ୧୧ରେ
1 min read
ପାଟପୁର : ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତରେ ଉପନିର୍ବାଚନ ଆସନ୍ତା ଫେବ୍ରୁଆରି ମାସ ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତମାସ ୧୩, ୧୫ ଓ ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ୧୮ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ୧୯ ତାରିଖରେ ଯାଞ୍ଚ ଓ ୨୨ରେ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ଫଳରେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ତିନି ପ୍ରମୁଖ ଦଳ ନିଜ ସମର୍ଥକଙ୍କୁ ଛିଡ଼ା କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି କ୍ରମରେ ସନ୍ତୋଷୀ ପ୍ରଧାନ ଆଜି ସାନଖେମୁଣ୍ଡି ବିଡିଓ ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀଦତ୍ତ ନାୟକଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ ଉପନିର୍ବାଚନ ପାଇଁ ବିଜେଡିର ଏକ ବୈଠକ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଲଢ଼ିବାକୁ ରଣନୀତି ଉପରେ ଏଥିରେ ଆଲୋଚନା ହୋଇଥିଲା। ଆଡ଼ପଡା ସରପଞ୍ଚ ନୀଳମାଧବ ରାଉତ ଓ ଅମିନ ପ୍ରଧାନଙ୍କ ଉପସ୍ଥିତିରେ ଏନ.ପ୍ରଫୁଲ୍ଲ ରେଡ୍ଡୀ, ଅଜୟ ରେଡ୍ଡୀ, ନିରାକାର ପାତ୍ର, ଅଭି ପାତ୍ର, ନିର୍ମଳ ପାତ୍ର, ହୀନ ପାତ୍ର ଓ ଟିଟୁ ପାତ୍ର ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ।