Thu. Apr 16th, 2026

୩୩ ଡିଗ୍ରି ଟପିଲା ୩ ସହର, ୮ରୁ କାଳବୈଶାଖୀ ସହ ବର୍ଷା

1 min read
Spread the love

ଭୁବନେଶ୍ବର : ୩୩ ଡିଗ୍ରି ଡେଇଁଲା ଦିନର ତାପମାତ୍ରା। ତାଳଚେର ସମେତ ଭୁବନେଶ୍ବର ଓ ମାଲକାନଗିରିରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଟପିଛି। ଏଥିସହ ଅଧିକାଂଶ ସହରରେ ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। କେବଳ କୋରାପୁଟ ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ରାତିର ପାରଦ ୧୦ ଡିଗ୍ରି ଉପରକୁ ଚାଲିଯାଇଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ରେକର୍ଡ କରାଯାଇଛି। ତାଳଚେର ଓ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୩.୪ ଡିଗ୍ରି ରହିଥିବାବେଳେ ଭୁବନେଶ୍ବରରେ ୩୩ ଡିଗ୍ରି ଥିଲା।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏଭଳି ପାଗ ଆସନ୍ତା ୭ ତାରିଖ ଯାଏ ଜାରି ରହିବ। ଅର୍ଥାତ ରାତି ବେଳେ ତାପମାତ୍ରା କମ୍‌ ରହିବ। ଦିନ ବେଳେ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ଡେଇଁବ। କିନ୍ତୁ ଭୂମଧ୍ୟସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ୭ ତାରିଖ ପରେ ରାତି ବେଳା ମଧ୍ୟ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇବ। ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ଥିବାରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବ। ୧୧ ତାରିଖରୁ ପୁଣି ରାତିର ତାପମାତ୍ରା ହ୍ରାସ ପାଇବା ସହ ଶୀତ ଲେଉଟିବ ବୋଲି ଆକଳନ କରାଯାଇଛି।

Copyright © All rights reserved.