ଅର୍ଥନୀତିକୁ ଡବଲ୍ ଝଟ୍କା
1 min read
ନୂଆଦିଲ୍ଲୀ: ଅର୍ଥନୀତିକୁ ଡବଲ୍ ଝଟ୍କା ଦେବା ଭଳି ଦୁଇଟି ରିପୋର୍ଟ ଆଜି ପ୍ରକାଶ ପାଇଛି। ଗୋଟିଏ ପଟେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷରୁ ଊର୍ଧ୍ବ ସମୟ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିବାବେଳେ ଅନ୍ୟପଟେ କଳକାରଖାନା ଉତ୍ପାଦନ ହ୍ରାସ ପାଇଛି। ଚଳିତବର୍ଷ ନଭେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ୫.୫୪ ପ୍ରତିଶତକୁ ବଢ଼ିଯାଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ଏହା ହୋଇଛି। ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୬୨ ପ୍ରତିଶତ ଥିବାବେଳେ ଗତବର୍ଷ ନଭେମ୍ବରରେ ଏହା ୨.୩୩ ପ୍ରତିଶତ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଖାଦ୍ୟସାମଗ୍ରୀର ମୁଦ୍ରାସ୍ଫୀତି ୧୦.୦୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅକ୍ଟୋବରରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୮୯ ପ୍ରତିଶତ ଥିବାବେଳେ ଗତବର୍ଷ ନଭେମ୍ବରରେ ଏହା -୨.୬୧ ପ୍ରତିଶତ ରହିଥିଲା। ଏହା ପୂର୍ବରୁ ଶେଷ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୨୦୧୬ ଜୁଲାଇରେ ସର୍ବାଧିକ ୬.୦୭ ପ୍ରତିଶତ ରହିଥିଲା।
ଅନ୍ୟପକ୍ଷରେ ଅକ୍ଟୋବର ମାସ ପାଇଁ ଆଜି ଦେଶର ଶିଳ୍ପ ଉତ୍ପାଦନ ସୂଚୀ ପ୍ରକାଶ ପାଇଛି। ବିଦ୍ୟୁତ୍, ଖଣି ଏବଂ ମାନୁଫାକ୍ଚରିଂ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଅକ୍ଟୋବର ମାସରେ ଶିଳ୍ପ ଅଭିବୃଦ୍ଧି -୩.୮ ପ୍ରତିଶତ ରହିଛି। ଗତବର୍ଷ ଅକ୍ଟୋବରରେ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୮.୪ ପ୍ରତିଶତ ରହିଥିଲା। ମାନୁଫାକ୍ଚରିଂ କ୍ଷେତ୍ରର ଉତ୍ପାଦନ ଗତବର୍ଷ ଅକ୍ଟୋବରରେ ୮.୨ ପ୍ରତିଶତ ଥିବାବେଳେ ଚଳିତବର୍ଷ ଅକ୍ଟୋବରରେ -୨.୧ ପ୍ରତିଶତ ରହିଛି। ସେହିଭଳି ବିଦ୍ୟୁତ୍ ଉତ୍ପାଦନ ଗତବର୍ଷ ଅକ୍ଟୋବରରେ ୧୦.୮ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ଏହା -୧୨.୨ ପ୍ରତିଶତ ରହିଛି। ଖଣି ଉତ୍ପାଦନ ମଧ୍ୟ ଗତବର୍ଷ ଅକ୍ଟୋବରରେ ୭.୩ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ଏହା -୮ ପ୍ରତିଶତ ରହିଛି। କେବଳ ଅକ୍ଟୋବର ମାସ ନୁହେଁ, କ୍ରମାଗତଭାବେ ୩ ମାସ ହେଲା ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ସଙ୍କୁଚିତ ହେବାରେ ଲାଗିଛି। ଅକ୍ଟୋବର ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ମଧ୍ୟ ଶିଳ୍ପ ଉତ୍ପାଦନ ସଙ୍କୁଚିତ ହୋଇଥିଲା। ସେପ୍ଟେମ୍ବରରେ ୪.୩ ପ୍ରତିଶତ ଏବଂ ଅଗଷ୍ଟରେ ୧.୪ ପ୍ରତିଶତ ହ୍ରାସ ଘଟିଥିଲା। ଏହାପୂର୍ବରୁ ଜୁଲାଇରେ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୪.୯ ପ୍ରତିଶତ ରହିଥିଲା।