Wed. Jun 25th, 2025

ବଜେଟ୍ ଉପସ୍ଥାପନ ପର୍ଯ୍ୟନ୍ତ ଅଫିସରେ ରହିବେ ଶତାଧିକ କର୍ମଚାରୀ,

1 min read
Spread the love

ନୂଆଦିଲ୍ଲୀ: ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଯାଇଛି ହାଲୱା ଉତ୍ସବ। ଏହି ସମାରୋହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇ ବଜେଟ୍ ପ୍ରସ୍ତୁତିରେ ସାମିଲ୍ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ହାଲୱା ବିତରଣ କରିଛନ୍ତି। ଏଥିସହ ଆଜିଠାରୁ ବଜେଟ୍ ମୁଦ୍ରଣ ଆରମ୍ଭ ହୋଇଛି। ସେତିକି ନୁହେଁ, ପରାମ୍ପରା ମୁତାବକ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ହେବାଯାଏଁ ପ୍ରାୟ ଶହେରୁ ଅଧିକ କର୍ମଚାରୀ ନର୍ଥବ୍ଲକ ଭିତରେ ରହିବେ ଏବଂ ସେମାନଙ୍କର ବାହ୍ୟ ଜଗତ ସହ ସଂପର୍କ ରହିବ ନାହିଁ।

ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହାଲୱା ପ୍ରସ୍ତୁତି ପରେ ତାହାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଇଛି । ବଜେଟ୍ ଆସନ୍ତା ଫେବ୍ରୁଆରି ୧ ତାରିଖରେ ଉପସ୍ଥାପନ ହେବ। ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ୍ ଛପା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀମାନେ ନର୍ଥ ବ୍ଲକ୍‌ର ବେସମେଣ୍ଟକୁ ଯିବେ। ସେଠାରେ ଥିବା ବଜେଟ୍ ପ୍ରେସରେ ବଜେଟ ସଂପର୍କିତ ସମସ୍ତ ଦସ୍ତାବିଜ୍ ମୁଦ୍ରଣ କରାଯିବ। ପ୍ରଚଳିତ ପରାମ୍ପରା ଅନୁସାରେ, ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ପରେ ହିଁ ଯାଇ ବଜେଟ ସହ ସଂପୃକ୍ତ କର୍ମଚାରୀ ସେଠାରୁ ବାହାରକୁ ଆସିବେ। ବାର୍ଷିକ ବଜେଟ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡ଼ିକ ଯେଭଳି ବାହାର ଲୋକଙ୍କ ନିକଟରେ ନ ପହଞ୍ଚିବ ସେଥିପାଇଁ ଏହି ସତର୍କତା ଅବଲମ୍ବନ କରାଯାଇଥାଏ। ଏତଦବ୍ୟତୀତ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ପାଇଁ ଏହି ପାରମ୍ପରିକ ଉତ୍ସବ ଆୟୋଜନ କରାଯାଇଥାଏ।

Copyright © All rights reserved.