Wed. Jun 25th, 2025

‘ଦେଶ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ କଂଗ୍ରେସର ଆହ୍ୱାନ

1 min read
Spread the love

ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତୀୟ ଜାତୀୟ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରିବା ସହ ଏବର କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି କର୍ମୀମାନଙ୍କୁ ‘ଦେଶ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ର ଆହ୍ବାନ ଦେଇଥିଲେ। ଏହି ଅବସରରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବିଭିନ୍ନ ସରକାର ବିରୋଧୀ ନାରା ଦେଇ ଏକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟରୁ ବାହାରି ରାଜଭବନ ଛକ ଦେଇ ପୁଣି ଥରେ କଂଗ୍ରେସ ଭବନରେ ପହଞ୍ଚିଥିଲେ।

ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ଉଦବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଆଜି ୧୩୪ ବର୍ଷରେ ପଦାର୍ପଣ କରିଛି। ଏହି ଦଳର ଜଣେ ସୈନିକ ଭାବେ ସମସ୍ତ କର୍ମୀ ଗର୍ବିତ। ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳ ଲକ୍ଷ୍ୟ। କିନ୍ତୁ ଆଜି ସମ୍ବିଧାନକୁ ଛିନ୍ନଭିନ୍ନ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଛି। ସେଥିପ୍ରତି ଦଳର ପ୍ରତ୍ୟେକ କର୍ମୀ ସତର୍କ ରହିବା ଦରକାର। ରାଜ୍ୟରେ ଥିବା ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଦେଇ ଆସିଛି। ଦିଲ୍ଲୀରେ ସମର୍ଥନ ଦେଇ ରାଜ୍ୟରେ ବିରୋଧ କରିବା ବିଜେଡିର ଦୋମୁହାଁ ନୀତିକୁ ପ୍ରମାଣିତ କରିଛି। ବର୍ତ୍ତମାନ ଦେଶ ଖଣ୍ଡ ବିଖଣ୍ଡିତ ଆଡ଼କୁ ଗତି କରୁଛି। ଦଳର ସମସ୍ତ କର୍ମୀ ଦେଶ ବଞ୍ଚାଇବା ଲାଗି ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂହ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଶରତ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଜାତୀୟ କଂଗ୍ରେସର ଲକ୍ଷ୍ୟ, ଆଦର୍ଶ ଏବଂ ବଳିଦାନ ସମ୍ପର୍କରେ ଆଲୋକପାତ କରି କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ତାରା ପ୍ରସାଦ ବାହିନୀପତି, ବରିଷ୍ଠ ନେତା କିଶୋର ଚନ୍ଦ୍ର ପଟ୍ଟେଲ, ଗୁରୁପଦ ନନ୍ଦ, ଗଣେଶ୍ବର ବେହେରା, ସମୀର କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ପଞ୍ଚାନନ କାନୁନଗୋ, ଚିନ୍ମୟ ପ୍ରସାଦ ବେଉରା, ଅଂଶୁମାନ ମହାନ୍ତି, ଡମ୍ବରୁଧର ଉଲ୍ଲାକା, ନବୀନ ଚନ୍ଦ୍ର ନାରାୟଣ ଦାସ, ଉମାବଲ୍ଲଭ ରଥ, ଯଜ୍ଞେଶ୍ବର ବାବୁ, ମନୋରଞ୍ଜନ ଦାଶଙ୍କ ସମେତ ବହୁ କଂଗ୍ରସେ କର୍ମୀ ଉପସ୍ଥିତ ଥିଲେ।

Copyright © All rights reserved.