ଜନସନ୍ ଆଣ୍ଡ ଜନସନ୍ ଦେବ ୨୩୦କୋଟି ଟଙ୍କାର ଜରିମାନା
1 min read
ନୂଆଦିଲ୍ଲୀ: ଜନସନ୍ ଆଣ୍ଡ ଜନସନ୍ କମ୍ପାନି ଉପରେ ସଙ୍କଟ। ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନି ଜନସନ୍ ଆଣ୍ଡ ଜନସନ୍ ପୁଣି ଅଡ଼ୁଆରେ। ପୂର୍ବରୁ ବେବି ପାଉଡରରେ କ୍ୟାନସର ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗରେ ବିବାଦ ଘେରକୁ ଟାଣି ହୋଇଆସିଥିବା ବେଳେ ଏବେ କମ୍ପାନି ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି।ଜନସନ୍ ଆଣ୍ଡ ଜନସନ୍ ଶିଶୁ ଉତ୍ପାଦ ତିଆରିରେ ଏକ ନାମୀଦାମୀ କମ୍ପାନି। ଗ୍ରାହକଙ୍କଠାରୁ ଭୁଲ ଉପାୟରେ ଟଙ୍କା ଆଦାୟ କରିଥିବା ଅଭିଯୋଗରେ କମ୍ପାନିକୁ ୨୩୦କୋଟି ଟଙ୍କାର ଜରିମାନା ଦେବାକୁ ପଡ଼ିବ। ଗ୍ରାହକଙ୍କୁ ଜିଏସଟିର ଲାଭ ନଦେବାରୁ ନ୍ୟାସନାଲ ଆଣ୍ଟି ପ୍ରୋଫିଟିୟାରିଙ୍ଗ ଅଥରିଟି(ଏନଏଏ) କମ୍ପାନି ଉପରେ ଏହି ଜରିମାନା ଲଗାଇଛି। କମ୍ପାନି ଯେଉଁ ଉପାୟରେ ଟିକସ କାଟିଛି ତାହାର ଆକଳନ ଠିକ୍ ନୁହେଁ।
ସୂଚନା ଅନୁସାରେ, ୧୫ ନଭେମ୍ବର ୨୦୧୭ରୁ ଡିସେମ୍ବର ୨୦୧୮ ମଧ୍ୟରେ ଗ୍ରାହକଙ୍କ ଠାରୁ ଅଧିକା ଟଙ୍କା ଆଦାୟ କରିଛି କମ୍ପାନି। ଆଉ ସେହି ସମୟରେ ସରକାର ଜିଏସଟି ଦର ୨୮ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଦେଇଥିଲେ। ଜିଏସଟି ଦର କମ ହୋଇଥିଲେ ହେଁ କମ୍ପାନି ଏହାର ଲାଭ ଗ୍ରାହକଙ୍କୁ ଦେଇ ନାହିଁ। ୩ମାସ ମଧ୍ୟରେ ୨୩୦କୋଟି ଟଙ୍କାର ଜରିମାନା ନଦେଲେ ଜିଏସଟି ପ୍ରାଧିକରଣ ଦ୍ୱାରା ଟଙ୍କା ଆଦାୟ କରାଯିବ ବୋଲି ସୂଚନା ମିଳିଛି।
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ବାରମ୍ବାର ବିବାଦ ଘେରକୁ ଆସିଛି ଜନସନ୍ ଆଣ୍ଡ ଜନସନ୍ କମ୍ପାନି। ଏହା ପୂର୍ବରୁ ମଧ୍ୟ କମ୍ପାନିକୁ ଜରିମାନା ଦେବାକୁ ପଡ଼ିଛି।