Wed. Jun 25th, 2025

କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ୍‌ କରିବ ଆମାଜନ

1 min read
Spread the love

ନୂଆଦିଲ୍ଲୀ,୧୬-୧: ଦେଶର କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ କରିବା ଦିଗରେ ଆମାଜନ ଡଟ୍‌ କମ୍‌ ଇଙ୍କ ଯୋଜନା ହାତକୁ ନେବ। ଏଥିଲାଗି କମ୍ପାନୀ ଭାରତରେ ୧ ବିଲିୟନ ଡଲାର ବା ପ୍ରାୟ ୭,୦୦୦ କୋଟି ଟଙ୍କା ନିବେଶ ଯୋଜନା ରଖିଥିବା ଏହାର ସିଇଓ ଜେଫ୍‌ ବେଜୋସ ବୁଧବାର ସୂଚନା ଦେଇଛନ୍ତି। ଆମାଜନ ଭାରତ ପାଇଁ ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏଭଳି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସହାୟତା କରିବ ବୋଲି ଭାରତ ଗସ୍ତରେ ଆସିଥିବା ବେଜୋସ ମତ ରଖିଛନ୍ତି। ୨୦୨୫ ସୁଦ୍ଧା ଭାରତରୁ ୧୦ ବିଲିୟନ ଡଲାର ରପ୍ତାନି ଦିଗରେ କମ୍ପାନୀର ଯୋଜନାକୁ ଏହା ସଫଳ କରାଇବ ବୋଲି ସେ ମତ ରଖିଛନ୍ତି।

ନୂଆ ନିବେଶ ଆଗରୁ ଭାରତରେ ୫ ବିଲିୟନ ଡଲାର ନିବେଶ କରିବାକୁ କମ୍ପାନୀ ଘୋଷଣା କରି ସାରିଛି। ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ରାଜଘାଟ ଯାଇ ଗାନ୍ଧୀ ସ୍ମୃତି ସ୍ମାରକୀ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସମ୍ଭବ ସମିଟରେ ସେ ଉଦବୋଧନ ଦେଇଥିଲେ। ସେ ବିଭିନ୍ନ ନିୟାମକ ପ୍ରସଙ୍ଗ ନେଇ ଭାରତୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ। ଆମାଜନ ଏବଂ ଫ୍ଲିପକାର୍ଟ ବିରୋଧରେ କମ୍ପିଟିଶନ କମିଶନ ଅଫ ଇଣ୍ଡିଆ ଉଚ୍ଚହାରରେ ରିହାତି ଏବଂ ପ୍ରିଫର୍ଡ ସେଲର ଦ୍ୱାରା ବିକ୍ରି ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ବେଜୋସଙ୍କ ଗସ୍ତକୁ ବିରୋଧ କରୁଛନ୍ତି। ଏଭଳି ସମୟରେ ତାଙ୍କ ଗସ୍ତ କମ୍ପାନୀ ଲାଗି ଅନେକ ଗୁରୁତ୍ୱ ବହନ କରେ ବୋଲି କୁହାଯାଉଛି।

Copyright © All rights reserved.