କରୋନା ଭାଇରସ୍ର ଲକ୍ଷଣ ଏବଂ ପ୍ରତିକାର
1 min read
ସାରା ବିଶ୍ୱକୁ ଏବେ ଘାରିଛି କରୋନା ଭାଇରସ୍ ଆତଙ୍କ। ଚାଇନାର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ୍ ପ୍ରାୟ ୨୫ ଦେଶକୁ କବଳିତ କରିସାରିଲାଣି। କେବଳ ଚାଇନାରେ ବର୍ତ୍ତମାନ ସୁଦ୍ଧା ୪୨୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ହଜାର ୪୩୮ ଜଣ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଗୋଟିଏ ଦିନରେ ୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ମହାମାରୀ ରୂପ ନେବାକୁ ବସିଛି। ଫଳରେ ଡାକ୍ତରମାନେ ମଧ୍ୟ ଏନେଇ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ସଜାଗ ରହିବା ପାଇଁ ଜାଣନ୍ତୁ କରୋନା ଭାଇରସ୍ର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ…
କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ରୋଗୀଙ୍କ ବିଷୟରେ ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଭାଇରସ୍ ଦେଖାଦେଲେ ରୋଗୀଙ୍କୁ ଥଣ୍ଡା, କାଶ, ହେବା ସହ ନିମୋନିଆର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ରୋଗୀଙ୍କ ଫୁସଫୁସ୍ରେ ପାଣି ଭର୍ତ୍ତି ହୋଇଥାଏ। ଜ୍ୱର, କାଶ ଲାଗି ରହିବା ସହ ମାଂସପେଶୀ ଏବଂ ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ଯନ୍ତ୍ରଣା ହୋଇଥାଏ। ହୃଦ୍ସ୍ପନ୍ଦନ ବଢ଼ିଯାଇଥାଏ। ମାଦକଦ୍ରବ୍ୟ ସେବନ କରୁଥିଲେ କରୋନା ଶୀଘ୍ର ଆକ୍ରାନ୍ତ କରିଥାଏ।
ଏହି ଭାଇରସ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଏଥିପାଇଁ ମାସ୍କ ବ୍ୟବହାର ଜରୁରୀ। ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଦୂରେଇ ରୁହନ୍ତୁ। ମୁହଁ ଏବଂ ନାକକୁ ଘୋଡ଼ାଇ ରଖନ୍ତୁ। ନାକ, କାନରେ ହାତ ଲଗାଇବା ପୂର୍ବରୁ ସାବୁନ୍ରେ ଭଲ ଭାବରେ ହାତ ଧୁଅନ୍ତୁ।