ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ବାଚସ୍ପତି ଏନ୍.ପି. ପ୍ରଜାପତିଙ୍କୁ ନୋଟିସ୍ ଜାରି
1 min read
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କମଳନାଥ ସରକାରଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ଦାୟର ପିଟିସନର ବିଚାର କରି ଆଜି ସୁପ୍ରିମ୍ କୋର୍ଟ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ବିଧାନସଭାର ବାଚସ୍ପତି ଏନ୍ ପି ପ୍ରଜାପତିଙ୍କୁ ନୋଟିସ୍ ଜାରି କରିଛନ୍ତି। ଉଭୟଙ୍କୁ ଇମେଲ୍ ଏବଂ ହ୍ବାଟସପ୍ ମାଧ୍ୟମରେ ନୋଟିସ୍ ଜାରି କରାଯାଇଥିବା ଜଣାଯାଇଛି। ସୁପ୍ରିମ୍ କୋର୍ଟ ବୁଧବାର ସକାଳ ସାଢ଼େ ୧୦ଟା ବେଳେ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାଯାଇଛି। ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତା ଏହି ମାମଲାର ଶୁଣାଣି କରିବେ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ସୋମବାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦେଶ ଦେଇଥିବା ବେଳେ ବାଚସ୍ପତି ବିଧାନସଭାକୁ ୧୦ ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ। ବିଧାନସଭା କିଛି ସମୟ ପାଇଁ ଚାଲିବା ପରେ କରୋନା ଭାଇରସ୍ ସଂକ୍ରମଣ ଜନିତ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ବାଚସ୍ପତି ଏନ୍.ପି. ପ୍ରଜାପତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ବିଧାନସଭାକୁ ମୁଲତବୀ ଘୋଷଣା କରି ଦେଇଥିଲେ। ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ଙ୍କ ସମେତ ୯ ଜଣ ବିଜେପି ବିଧାୟକ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କମଳନାଥ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ଭୟ କରୁଛନ୍ତି ଏବଂ ଏ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶିବରାଜ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ବୁଧବାରକୁ ଘୁଞ୍ଚିଛି।