Wed. Jun 25th, 2025

ଏନ୍‌ଏସ୍‌ଓ ଆକଳନ: ଅଭିବୃଦ୍ଧି ୫%କୁ ଖସିବ

1 min read
Spread the love

ନୂଆଦିଲ୍ଲୀ: ମାନ୍ଦାବସ୍ଥାର ପ୍ରଭାବ ଯୋଗୁ ଭାରତର ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ବିଶ୍ବବ୍ୟାଙ୍କ, ଆଇଏମ୍ଏଫ୍‌ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ପର୍ଯ୍ୟନ୍ତ ଦେଶବିଦେଶର ଅନେକ ଖ୍ୟାତିସମ୍ପନ୍ନ ସଂସ୍ଥା ପୂର୍ବାନୁମାନ କରିଥିଲେ। ଆଜି କେନ୍ଦ୍ର ସରକାର ଜାରି କରିଥିବା ଏକ ରିପୋର୍ଟରେ ମଧ୍ୟ ସମାନ ପ୍ରକାର ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫%କୁ ହ୍ରାସ ପାଇବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ଅଗ୍ରିମ ଆକଳନରେ କୁହାଯାଇଛି। ବିଗତ ୧୧ ବର୍ଷ ଭିତରେ ଏହା ସବୁଠୁ କମ୍ ଅଭିବୃଦ୍ଧି ହାର ହେବ। ୨୦୧୮-୧୯ର ୬.୮% ଅଭିବୃଦ୍ଧି ହାର ଠାରୁ ମଧ୍ୟ ଏହା ଯଥେଷ୍ଟ କମ୍। ଏହି ରିପୋର୍ଟ ପରୋକ୍ଷରେ ଜଣାଇ ଦେଇଛି ଯେ ଅର୍ଥନୀତିରେ ମାନ୍ଦାବସ୍ଥାର ପ୍ରଭାବ ରହିଛି।

ଚଳିତ ଆର୍ଥିକ ବର୍ଷ ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବ। ସେହି ସମୟରେ ଦେଶର ଜିଡିପି ଆକାର (୨୦୧୧-୧୨ର ମୂଲ୍ୟ ଅନୁସାରେ) ୧୪୭.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୧୯ ମାର୍ଚ୍ଚରେ ‌ଜିଡିପି ପରିମାଣ ୧୪୦.୭୮ ଲକ୍ଷ କୋଟି ଟଙ୍କା ଥିଲା। ଦେଶର ମୁଣ୍ଡପିଛା ଆୟ ୯୬,୬୫୩ ଟଙ୍କାକୁ ବୃଦ୍ଧି ପାଇବ। ୨୦୧୮-୧୯ରେ ମୁଣ୍ଡପିଛା ଆୟ ୯୨,୫୬୫ ଟଙ୍କା ଥିଲା। ଏ କ୍ଷେତ୍ରରେ ୪.୩%ର ବୃଦ୍ଧି ଘଟିବ ବୋଲି ଏନ୍‌ଏସ୍‌ଓ ଆକଳନ କରିଛି। ତେବେ ବର୍ତ୍ତମାନର ମୂଲ୍ୟ ଅନୁସାରେ ମୁଣ୍ଡପିଛା ଆୟ ୧,୩୫,୦୫୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନ୍‌ଏସ୍‌ଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅଗ୍ରିମ ଆକଳନକୁ ଆଜି ଜାରି କରାଯାଇଛି। ଚୂଡ଼ାନ୍ତ ଆକଳନ ରିପୋର୍ଟକୁ ବଜେଟ୍ ଉପସ୍ଥାପନ ହେବା ପରେ ଆସନ୍ତା ଫେବ୍ରୁଆରି ୨୮ରେ ଜାରି କରାଯିବ।

ଆଜି ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ‌ରେ କୃଷି, ଜଙ୍ଗଲ ଓ ମତ୍ସ୍ୟ ଚାଷ କ୍ଷେତ୍ରର ଅଭିବୃଦ୍ଧି ହାର ୨.୮% ରହିବ। ୨୦୧୮-୧୯ରେ ଏହି କ୍ଷେତ୍ର ୨.୯% ଅଭିବୃଦ୍ଧି ହାସଲ କରିଥିଲା। ଖଣି ଓ ଖନନ କ୍ଷେତ୍ର ୧.୫% ଓ ମାନୁଫାକ୍‌ଚରିଂ କ୍ଷେତ୍ର ୨% ଅଭିବୃଦ୍ଧି ହାସଲ କରିବ। ବିଦ୍ୟୁତ, ଗ୍ୟାସ୍, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବା କ୍ଷେତ୍ରର ଅଭିବୃଦ୍ଧି ୫.୪% ରହିବ ଯାହା ପୂର୍ବବର୍ଷର ୭% ତୁଳନାରେ ବହୁତ କମ୍। କନଷ୍ଟ୍ରକ୍ସନ କ୍ଷେତ୍ରର ଅଭିବୃଦ୍ଧି ମଧ୍ୟ ୮.୭%ରୁ ୩.୨%କୁ ଖସିଯିବ। ବାଣିଜ୍ୟ, ହୋଟେଲ୍ ଓ ପରିବହନ, ଯୋଗାଯୋଗ ଏବଂ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୫.୯% ହେବ ବୋଲି ଆକଳନ କରାଯାଇଛି। ଆର୍ଥିକ, ରିଅଲ ଇଷ୍ଟେଟ୍‌ ଓ ‌ପେସାଦାର ସେବା କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ୭.୪%ରୁ ୬.୪%କୁ ହ୍ରାସ ପାଇବ। ତେବେ ସାଧାରଣ ପ୍ରଶାସନ ଓ ପ୍ରତିରକ୍ଷା କ୍ଷେତ୍ରର ଅଭିବୃଦ୍ଧି ୯.୧% ହେବ ବୋଲି ଏନ୍‌ଏସ୍‌ଓ ଜଣାଇଛି।

Copyright © All rights reserved.