ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ : ଏଣିକି ଖାଇ ହେବ ଚିକେନ୍, ଅଣ୍ଡା
1 min read
ଭୁବନେଶ୍ବର : ରାଜଧାନୀରେ ଆଉ ବାର୍ଡ ଫ୍ଲୁ ଭୟ ନାହିଁ। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜଧାନୀରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଏବେ ଲୋକମାନେ କୁକୁଡ଼ା ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ। ତେବେ ଠିକ୍ ଭାବେ ସିଝେଇ ଖାଇବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ଗତ ମାସ ୨୭ ତାରିଖରେ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଦେଖା ଦେଇଥିଲା। ଏଥିପାଇଁ ଫାର୍ମର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ସଂକ୍ରମିତ ସ୍ଥାନରେ ରାପିଡ୍ ରେସପନ୍ସ ଟିମ୍ କୁକୁଡ଼ା ମାରିଥିଲେ। ଏଥିରେ ପ୍ରାୟ ୫/୬ହଜାର କୁକୁଡ଼ା ମରା ଯାଇଥିଲା। ଏହାସହ ଓୟୁଏଟିର ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳ ଭିତରେ ଟିମ୍ ପକ୍ଷରୁ ନିରୀକ୍ଷଣ କରାଯାଇଥିଲା। ରାଜଧାନୀରେ ବାର୍ଡ-ଫ୍ଲୁକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଲୋକମାନେ ଚିକେନ୍ ଓ ଅଣ୍ଡା ଖାଇବା ଏକପ୍ରକାର ଛାଡ଼ି ଦେଇଥିଲେ। କୁକୁଡ଼ା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଏହା ଭିତରେ ୧୫ ଦିନ ବିତି ଯାଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ବାର୍ଡ-ଫ୍ଲୁକୁ ନେଇ ଏବେ ବି ଆଶଙ୍କା ରହିଛି। ଚିକେନ୍ ଖାଇବେ କି ନାହିଁ, ତାହାକୁ ନେଇ ଲୋକମାନେ ଦ୍ବନ୍ଦ୍ବରେ ରହିଛନ୍ତି।