ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ
1 min read
ନୂଆଦିଲ୍ଲୀ : ବହୁଚ୍ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି । ଦୋଷୀମାନଙ୍କ ସମସ୍ତ ପିଟିସନ୍କୁ ଗତକାଲି ସୁପ୍ରିମ୍ କୋର୍ଟ ଏବଂ ପଟିଆଲା ହାଉସ କୋର୍ଟ ଖାରଜ କରିଦେବା ପରେ ୪ ଦୋଷୀଙ୍କୁ ତିହାର ଜେଲ୍ରେ ଫାଶୀ ଦିଆଯାଇଛି। ଅପରାଧର ୨୬୫୦ ଦିନ ପରେ ଦଣ୍ଡିତ ହୋଇଛନ୍ତି ୪ ନିର୍ଭୟା ଦୋଷୀ। ଫାଶୀ ପରେ ନିର୍ଭୟାଙ୍କ ମା’ କହିଛନ୍ତି ଶେଷରେ ଆମକୁ ନ୍ୟାୟ ମିଳିଛି।
ଶେଷ ମୁହୂର୍ତରେ ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ଶେଷ ଉଦ୍ୟମ ମଧ୍ୟ ପଣ୍ଡ ହୋଇଯାଇଛି। ଦୋଷୀଙ୍କୁ ତରବରିଆ ଭାବେ ଫାଶୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଏହି ରାୟର ପୁନଃସମୀକ୍ଷା କରିବାକୁ ଦୋଷୀଙ୍କ ଓକିଲ ଆଜି ସନ୍ଧ୍ୟାରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ। ତେବେ ହାଇକୋର୍ଟ ଦୋଷୀଙ୍କ ପକ୍ଷର ଏହି ଆବେଦନର ଶୁଣାଣି କରି ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଆବେଦନର କୌଣସି ଆଧାର ନାହିଁ, ନୂଆ ଯୁକ୍ତି ନାହିଁ କି ନୂଆ ସତ୍ୟପାଠ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ଦୋଷୀଙ୍କ ଓକିଲ ଏ.ପି. ସିଂହଙ୍କୁ କହିଛନ୍ତି, ଦୋଷୀମାନଙ୍କର ଭଗବାନଙ୍କୁ ସାକ୍ଷାତ କରିବାର ସମୟ ପାଖେଇ ଆସିଲାଣି। ଏଣୁ ନିଜ ସମୟ ସହ କୋର୍ଟର ସମୟ ନଷ୍ଟ ନ କରିବାକୁ ହାଇକୋର୍ଟ ରୋକ୍ଠୋକ ଶୁଣାଇ ଦେଇଥିଲେ। ସୁପ୍ରିମ କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ହାଇକୋର୍ଟ ଏହାର ସମୀକ୍ଷା କରିପାରିବ ନାହିଁ ବୋଲି କୋର୍ଟ ଦୋଷୀଙ୍କ ଓକିଲକୁ କହିଥିଲେ।