Sat. May 11th, 2024

ପିଏସ୍‌ୟୁ ବିକ୍ରି ହେବ, ସ୍ପଷ୍ଟ କଲେ ମୋଦୀ

1 min read
Spread the love

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। କିଛି ହାତଗଣତି ସଂସ୍ଥାକୁ ବାଦ ଦେଇ ଅନ୍ୟ ସବୁ ପିଏସ୍‌ୟୁର ଘରୋଇକରଣ କରାଯିବ ଓ ଏଥିପାଇଁ ଆମେ ପ୍ରତିବଦ୍ଧ ବୋଲି କହି ସେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତେଣୁ ଆଗାମୀ ଦିନରେ ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ‌ହେଲେ ସେଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ସରକାର ଏହା ହିଁ ଚାହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଆଜିର ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।

ଏକ ୱେବିନାରରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେ ସବୁ ଅଣ-ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ସେସବୁର ଘରୋଇକରଣ କରାଯିବ। କେବଳ କିଛି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଗୋଟିଏ ଦୁଇଟି ପିଏସ୍‌ୟୁ ରହିବ। କ୍ଷତିରେ ଚାଲୁଥିବା ପିଏସ୍‌ୟୁଗୁଡ଼ିକୁ ବଞ୍ଚାଇ ରଖିବା ଲାଗି ଟିକସଦାତାଙ୍କ ଟଙ୍କାକୁ ପାଣି ଭଳି ବୁହାଇବାର କିଛି ଅର୍ଥ ନାହିଁ। ସେହି ଟଙ୍କା ଉପରେ ଗରିବ ଓ ଯୁବପିଢ଼ିଙ୍କ ଅଧିକାର ରହିଛି। କ୍ଷତି ସହୁଥିବା ସଂସ୍ଥାକୁ ବଞ୍ଚାଇବା ଲାଗି ଉକ୍ତ ଟଙ୍କା ଖର୍ଚ୍ଚ କରାଯାଉଥିବାରୁ ଅର୍ଥନୀତି ଉପରେ ଅଯଥା ଚାପ ସୃଷ୍ଟି ହେଉଛି। ଏହି ଟଙ୍କା ଜନ ସାଧାରଣଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଇପାରିବ ‌ବୋଲି ସେ କହିଛନ୍ତି।ଘରୋଇକରଣକୁ ସମର୍ଥନ କରି ସେ କହିଛନ୍ତି ଯେ ବହୁ ଦଶନ୍ଧୀ ପୂର୍ବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସ୍ଥାପନ କରାଯାଇଥିଲା। ସେହି ସମୟରେ ଅର୍ଥନୀତିର ଆବଶ୍ୟକତା ଓ ଜାତୀୟ ପ୍ରାଥମିକତା ଭିନ୍ନ ଥିଲା। ୫୦-୬୦ ବର୍ଷ ପୂର୍ବେ ପ୍ରସ୍ତୁତ ହୋଇଥିବା ନୀତିକୁ ବଦଳାଇ ବର୍ତ୍ତମାନ ସ୍ଥିତି ଅନୁସାରେ ସେଗୁଡ଼ିକୁ ପ୍ରାସଙ୍ଗିକ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ସଂସ୍ଥା ଓ ବ୍ୟବସାୟକୁ ସହଯୋଗ ପ୍ରଦାନ କରିବା ହେଉଛି ସରକାରଙ୍କ ଦାୟିତ୍ବ। କିନ୍ତୁ ସଂସ୍ଥାର ମାଲିକ ହେବା ଓ ତାହାକୁ ଚଲାଇବା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ପିଏସ୍‌ୟୁ ସଂସ୍ଥା ନିଜର ପରମ୍ପରା କିମ୍ବା କାହାର ମାନସସନ୍ତାନ ବୋଲି ପରିଚାଳିତ ନହେଉ। ଯଦି ‌କୌଣସି ପିଏସ୍‌ୟୁ ନିର୍ଦିଷ୍ଟ ଓ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ପୂରଣ କରୁଛି ତେବେ ତାହା ପରିଚାଳିତ ହେଲେ କିଛି ଅସୁବିଧା ନାହିଁ। ସରକାର ଲୋକଙ୍କ କଲ୍ୟାଣ ଉପରେ ଗୁରୁତ୍ବାରୋପ କରିବା ଉଚିତ। ଯଦି ସରକାର ବ୍ୟବସାୟ କରିବେ ତେବେ ବେ‌ଳେ ବେଳେ କ୍ଷତି ସହିବାକୁ ହିଁ ପଡ଼ିବ। କଂପାନି ଚଲାଇବା ଦ୍ବାରା କେବଳ ଆର୍ଥିକ ସମ୍ବଳ ଅପଚୟ ହୁଏ ନାହିଁ, ଏଥିପାଇଁ ମାନବ ସମ୍ବଳକୁ ମଧ୍ୟ ଭିନ୍ନ କାମରେ ନିୟୋଜିତ କରାଯାଏ। ସେହି ମାନବ ସମ୍ବଳକୁ ଦେଶର ପ୍ରଶାସନିକ ବ୍ୟବସ୍ଥା ପାଇଁ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଘରୋଇ କ୍ଷେତ୍ର ଅଧିକ ନିବେଶ, ବିଶ୍ବର ଶ୍ରେଷ୍ଠ ବ୍ୟବସ୍ଥା, ଉଚ୍ଚ ଗୁଣାତ୍ମକ ମାନର ପ୍ରବନ୍ଧକ ଆଣିବେ ଏବଂ ପରିଚାଳନାରେ ପରିବର୍ତ୍ତନ ଆଣିବା ସହ ଆଧୁନିକୀକରଣ କରିପାରିବେ। ପିଏସ୍‌ୟୁ ଅଂଶଧନ ବିକ୍ରିରୁ ଯେଉଁ ପାଣ୍ଠି ମିଳିବ ତାହାକୁ ପାନୀୟ ଜଳ, ପରିମଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କଲ୍ୟାଣମୂଳକ ସ୍କିମ୍‌ରେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ପିଏସ୍‌ୟୁଗୁଡ଼ିକ ପାଖରେ ପ୍ରାୟ ୧୦୦ ବ୍ୟବହୃତ ହେଉନଥିବା କିମ୍ବା ସଠିକ୍ ଭାବେ ବ୍ୟବହାର ହୋଇପାରୁନଥିବା ସମ୍ପତ୍ତି ରହିଛି। ତୈଳ ଓ ଗ୍ୟାସ୍‌ ଏବଂ ଶକ୍ତି କ୍ଷେତ୍ରର ଏହି ସମ୍ପତ୍ତିଗୁଡ଼ିକୁ ଉପାର୍ଜନ କରିବା ଲାଗି ଉଦ୍ୟମ କରାଗଲେ ଅଢ଼େଇ କୋଟି ଟଙ୍କାର ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ବଜେଟ୍‌ରେ ଦେଖାଇଥିବା ନକ୍ସା ଅନୁସାରେ ଆଣବିକ ଶକ୍ତି, ମହାକାଶ ଓ ପ୍ରତିରକ୍ଷା, ପରିବହନ ଓ ଟେଲିଯୋଗାଯୋଗ, ଶକ୍ତି, ପେଟ୍ରୋଲିୟମ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ ଏବଂ ବ୍ୟାଙ୍କିଙ୍ଗ, ବୀମା ଓ ଆର୍ଥିକ ସେବା କ୍ଷେତ୍ରରେ ନାମକୁ ମାତ୍ର ଗୋଟିଏ ଦୁଇଟି ସରକାରୀ ସଂସ୍ଥା ରହିବ। ଆଧୁନିକୀକରଣ ଓ ଉପାର୍ଜନ ଲକ୍ଷ୍ୟକୁ ଆମେ ଅନୁସରଣ କରିବୁ ବୋଲି ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି। ଘରୋଇକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ନିବେଶକମାନଙ୍କ ସମସ୍ୟାର ସମାଧାନ ଶୀଘ୍ର କରିବାକୁ ସଚିବମାନଙ୍କୁ ନେଇ ଏକ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି।କେନ୍ଦ୍ର ସରକାର ଏୟାର ଇଣ୍ଡିଆ, ବିପିସିଏଲ୍‌, ସିପିଂ କାର୍ପୋରେସନ, ପୱନ ହଂସ, ଆଇଡିବିଆଇ ବ୍ୟାଙ୍କ ଓ କଣ୍ଟେନର କର୍ପୋରେସନର ଅଂଶଧନ ବିକ୍ରି କରି ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରାଯିବ। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ମୋଦୀ ସରକାର ଲକ୍ଷ୍ୟ ରଖିଛନ୍ତି।

Copyright © All rights reserved.