Mon. Jan 19th, 2026

ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ଟଙ୍କା ସବୁଠୁ ଦୁର୍ବଳ

1 min read
Spread the love

ମୁମ୍ବାଇ: ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କାର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଏସିଆରେ ଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ଟଙ୍କା ଅଧିକ ଦୁର୍ବଳ ହୋଇଛି। ଆଗାମୀ ଦିନରେ ଏହି ସ୍ଥିତି ଆହୁରି ଖରାପ ହେବାକୁ ଯାଉଛି, କାରଣ ଭାରତର ଅଭିବୃଦ୍ଧି ହାର ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ୫% ତଳକୁ ଖସିଯିବ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷର ଜୁଲାଇ ମାସରେ ଟଙ୍କା ସବୁଠୁ ଭଲ ସ୍ଥିତିରେ ଥିଲା। ଏହା ପରେ ଟଙ୍କାର ମୂଲ୍ୟ ୫% କମିଗଲାଣି। ସରକାରଙ୍କ ଋଣ ବୋଝ ଅଧିକ ରହିବା ଏବଂ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ଅନୁଷ୍ଠାନଗୁଡ଼ିକରେ ସଙ୍କଟ ଯୋଗୁ ଟଙ୍କା ମୂଲ୍ୟ କମିବାରେ ଲାଗିଛି। ଏହା ଡଲାର ଏବଂ ଅନ୍ୟାନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଦୁର୍ବଳ ହେଉଛି।

ଟଙ୍କା ମୂଲ୍ୟକୁ ଗୁରୁତ୍ବପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଥିବା ଅଭିବୃଦ୍ଧି ହାର କମୁଥିବାରୁ ଏହାର ମୂଲ୍ୟ ପ୍ରତି ବିପଦ ବଢ଼ିଯାଇଛି। ଅଭିବୃଦ୍ଧି କମିଲେ ପୁଞ୍ଜିନିବେଶ ଆସିବା କମିଯିବ ଯାହାର ପ୍ରଭାବରେ ଟଙ୍କା ଅଧିକ ଦୁର୍ବଳ ହୋଇପଡ଼ିବ ବୋଲି ମୁଦ୍ରା ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି।
ଚଳିତ ମାସରେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦାମ୍ ୭୨ ଟଙ୍କା ୨୪ ପଇସା ସ୍ତରକୁ ଖସିଆସିଛି। ଗତ ଶୁକ୍ରବାର ଏକ ଡଲାର କିଣିବା ଲାଗି ୭୧ ଟଙ୍କା ୭୧ ପଇସା ଗଣିବାକୁ ପଡ଼ିଥିଲା। ୨୦୧୮ ଅକ୍ଟୋବରରୁ ୨୦୧୯ ଜୁଲାଇ ମଧ୍ୟରେ ଟଙ୍କା ଅତ୍ୟଧିକ ଦୁର୍ବଳ ହୋଇଥିଲା ଏବଂ ସେହି ସମୟରେ ଗୋଟିଏ ଡଲାର କିଣିବା ଲାଗି ସର୍ବାଧିକ ୭୩ ଟଙ୍କା ୨ ପଇସା ଗଣିବାକୁ ପଡ଼ିଥିଲା। ଏବେ ଟଙ୍କା ପୁଣି ଥରେ ସେଭଳି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଛି। ଟଙ୍କା ଯେତିକି ଦୁର୍ବଳ ହେବ ଆମଦାନିକାରୀ ଓ ରପ୍ତାନିକାରୀମାନେ ସେତିକି ପ୍ରଭାବିତ ହେବେ। ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼ିବ। ଦେଶକୁ ବିଦେଶୀ ପୁଞ୍ଜିନିବେଶ ଆଗମନ ବୃଦ୍ଧି ପାଇଲେ ଡଲାର ତୁଳନାରେ ଟଙ୍କା ଦୃଢ଼ ହୋଇପାରିବ।

Copyright © All rights reserved.