ଖୋଲା ବଜାରରୁ ଶସ୍ତା ବିଜୁଳି କିଣିବାକୁ ଚାହୁଛି ଏମ୍ଏସ୍ଏମ୍ଇ ଶିଳ୍ପ
1 min read
ଭୁବନେଶ୍ବର: ଖୋଲା ବଜାରରେ ୟୁନିଟ୍ ପିଛା ୩ ଟଙ୍କା ଭଳି କମ୍ ଦାମ୍ରେ ବିଦ୍ୟୁତ ଶକ୍ତି ଉପଲବ୍ଧ ରହିଛି। ମାତ୍ର ପ୍ରଚଳିତ ନିୟମରେ ରହିଥିବା ପ୍ରତିବନ୍ଧକ ଯୋଗୁଁ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ)ଗୁଡ଼ିକ ସେହି ବିଜୁଳି କିଣିପାରୁନାହାନ୍ତି। ୟୁନିଟ୍ ପିଛା ୬ ଟଙ୍କା ଭଳି ଚଢ଼ା ଦାମ୍ରେ ବିଦ୍ୟୁତ କିଣୁଥିବାରୁ ସେମାନଙ୍କ ଖର୍ଚ୍ଚ ବହୁତ ବଢ଼ିଯାଉଛି ଏବଂ ବଜାରରେ ରହିଥିବା ପ୍ରତିଯୋଗିତାରେ ସେମାନେ ଆଗରେ ରହିବାରେ ବିଫଳ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଖୋଲା ବଜାରରେ ଉପଲବ୍ଧ ଥିବା ସୁଲଭ ମୂଲ୍ୟର ବିଜୁଳି କିଣିବା ଅନୁମତି ପ୍ରଦାନ କରିବାକୁ ଏସ୍ଏମ୍ଏସ୍ଇ ଶିଳ୍ପ ରାଜ୍ୟ ସରକାର ଓ ଓଡ଼ିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ଓଇଆର୍ସି)ଙ୍କୁ ଅନୁରୋଧ କରିଛି। ଏ ପ୍ରସଙ୍ଗରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପକ୍ଷରୁ ଏକ ୱେବିନାର୍ ଆୟୋଜନ କରାଯାଇଥିଲା।
ବଡ଼ ଶିଳ୍ପ ସଂସ୍ଥା ଭଳି ଏମ୍ଏସ୍ଏମ୍ଇଗୁଡ଼ିକୁ ମଧ୍ୟ ଖୋଲା ବଜାରରୁ ବିଜୁଳି କିଣିବାର ଅନୁମତି ଦେବା ଲାଗି ଏଥିରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଥିଲେ। ଏକ ମେଗାୱାଟ୍ରୁ ଅଧିକ ପରିମାଣର ବିଦ୍ୟୁତ କିଣୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ଖୋଲା ବଜାରରୁ ବିଦ୍ୟୁତ କିଣିବାର ଅନୁମତି ରହିଛି। ମାତ୍ର ଏସ୍ଏମ୍ଏସ୍ଇ ସଂସ୍ଥା ଯେଉଁମାନେ ୧୧୦ କିଲୋ ୱାଟ୍ରୁ ୧ ମେଗାୱାଟ୍ ମଧ୍ୟରେ ବିଦ୍ୟୁତ ଶକ୍ତି ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହି ସୁବିଧା ଦିଆଯାଇନାହିଁ। ଉଭୟ ବଡ଼ ଓ ଛୋଟ ସବୁ ପ୍ରକାର ଶିଳ୍ପ ସଂସ୍ଥା ୟୁନିଟ୍ ପିଛା ୬ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ ବିଦ୍ୟୁତ କିଣୁଛନ୍ତି। କିନ୍ତୁ ଖୋଲା ବଜାର କିଣାକିଣି ଅନୁମତି ପ୍ରଦାନରେ ବଡ଼ ସଂସ୍ଥାଗୁଡ଼ିକୁ ଅଧିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଛୋଟ ସଂସ୍ଥାଗୁଡ଼ିକ ପ୍ରତି ପାତରଅନ୍ତର ହୋଇଛି। ଉଭୟ ପ୍ରକାର ସଂସ୍ଥାକୁ ସମାନ ଅଧିକାର ପ୍ରଦାନ କରିବା ଲାଗି ବିଶେଷଜ୍ଞମାନେ ଦାବି କରିଛନ୍ତି।