ବିଏମ୍ସି ଓ କଳାରାହାଙ୍ଗ ପଞ୍ଚାୟତ ଛକାପଞ୍ଝା:ଜନବସତି ପାଲଟିଛି ଡମ୍ପିଂୟାର୍ଡ
1 min read
Visual-6
ଚନ୍ଦ୍ରଶେଖରପୁର: ସମସ୍ୟାରେ ଘାଣ୍ଟି ହେଉଛି ପ୍ରଭାତ ଭିଲ୍ଲାର ତ୍ରିଦେବ ଆପର୍ଟମେଣ୍ଟ ଅଞ୍ଚଳ। ପଟିଆରେ ଥିବା ଏହି ଅଞ୍ଚଳ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପ୍ରବେଶପଥରୁ ହିଁ ଏହା ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଦୁର୍ଗନ୍ଧମୟ ପରିବେଶରେ ଅଞ୍ଚଳବାସୀ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଭାତ ଭିଲ୍ଲାର ଚାରିପାଖ ଅଞ୍ଚଳ ବିଏମ୍ସି ଅଧୀନରେ ଆସୁଥିବା ବେଳେ କେବଳ ଏହି ଅଞ୍ଚଳ କଳାରାହାଙ୍ଗ ପଞ୍ଚାୟତ ଭିତରେ ରହୁଛି। ବିଏମ୍ସି ଓ ପଞ୍ଚାୟତର ଛକାପଞ୍ଝା ମଧ୍ୟରେ ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ବଡ଼ କଥା ହେଲା ଯେ ରାସ୍ତା କଡ଼ରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହିଥିଲେ ମଧ୍ୟ ଉଠାଯାଉନାହିଁ। ରାସ୍ତା ପାର୍ଶ୍ବରୁ ନାଲି ମାଟି ଖୋଳା ଯାଇଥିବାରୁ ସେଠାରେ ଏକ ପୋଖରୀ ସୃଷ୍ଟି ହୋଇଛି। ଉକ୍ତ ପୋଖରୀ ଏବେ ଡମ୍ପିଂୟାର୍ଡରେ ପରିଣତ ହୋଇଛି। ବସ୍ତିବାସିନ୍ଦାଙ୍କ ସମେତ ଏହା ନିକଟରେ ଥିବା ଆପାର୍ଟମେଣ୍ଟ, ମେଡିକାଲରୁ ବାହାରୁଥିବା ଆବର୍ଜନା ଏହା ଭିତରେ ପ୍ରବେଶ କରୁଛି। ତେଣୁ ଲୋକେ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡ଼ୁଛି। ନାକରେ ରୁମାଲ ନ ଦେଲେ ଏହି ରାସ୍ତାରେ ଯିବା ସମ୍ଭବପର ହେଉନାହିଁ। କେତେକ ସ୍ଥାନରେ ରାସ୍ତା ଉପରେ ସ୍ବେରେଜ୍ ପାଣି ଢେଉ ଖେଳୁଛି। ବୟସ୍କଠାରୁ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଆବର୍ଜନା ପାଣିରେ ଚଳପ୍ରବଳ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେହି ଶୁଣୁନାହାନ୍ତି। ପରସ୍ପର ଉପରେ ଦୋଷ ଲଦି ଖସିବାକୁ ଉଦ୍ୟମ କରୁଛନ୍ତି।