କମୁଛି ଆମେରିକା-ଇରାନ ଉତ୍ତେଜନା : କ୍ରମାଗତ ୩ୟ ଦିନ ପାଇଁ ସୁନାଦର ହ୍ରାସ
1 min read
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ସହ ଯୁଦ୍ଧ ଆଶଙ୍କା ଧୀରେ ଧୀରେ ହ୍ରାସ ପାଉଛି । ଏହା ଫଳରେ ସୁନା ଦର ସ୍ୱାଭାବିକ ହେବାରେ ଲାଗିଛି । କିଛି ଦିନ ତଳେ ୪୦ ହଜାର ଉପରକୁ ଚାଲିଯାଇଥିବା ସୁନା ଏବେ ୪୦ ହଜାର ତଳକୁ ଖସିଯାଇଛି ।ଗତ କାଲି ସ୍ପଟ ବଜାରରେ ୯୭୦ ଟଙ୍କା ହ୍ରାସ ପାଇଥିବା ସୁନା ଆଜି ଆହୁରି ୨୭୧ ଟଙ୍କା ହ୍ରାସ ପାଇ ୩୯,୬୧୦ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ କିଲୋଗ୍ରାମ ପିଛା ୪୬,୩୬୫ ଟଙ୍କାକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାଦର ଆଉନ୍ସ ପିଛା ୧୫୫୦ ଡଲାରକୁ ହ୍ରାସ ପାଇଛି । ଗୁରୁବାରଦିନ ଏହା ଆଉନ୍ସ ପିଛା ୧୫୬୧ ଡଲାରକୁ ଖସିଆସିଥିଲା । ରୁପା ମଧ୍ୟ ଆଉନ୍ସ ପିଛା ୧୮ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।
କେବଳ ସ୍ପଟ ବଜାର ନୁହେଁ ଫ୍ୟୁଚର ବଜାରରେ ମଧ୍ୟ ସୁନାଦର ହ୍ରାସ ପାଇଛି । ଫ୍ୟୁଚର ବଜାରର ଅର୍ଥ ହେଉଛି ଭବିଷ୍ୟତର କୌଣସି ଏକ ସମୟସୀମା ପାଇଁ ବର୍ତ୍ତମାନ ସମୟରେ ଦର ନିର୍ଦ୍ଧାରଣ । ଏମସିଏକ୍ସରେ ଫେବ୍ରୁଆରି ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା ୮୧ ଟଙ୍କା ହ୍ରାସ ପାଇ ୩୭,୭୪୯ ଟଙ୍କାରେ ପହଞ୍ଚିଛି ।