Wed. Jan 14th, 2026

ଓଲା, ଉବର ଭଳି ସଂସ୍ଥା ପାଇଁ ନୂଆ ନିୟମ : ଡ୍ରାଇଭରଙ୍କୁ ଭଡ଼ାର ୮୦%

1 min read
Spread the love

ନୂଆଦିଲ୍ଲୀ : ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ। ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ। ଏତେ‌ କମ୍‌ ମୂଲ୍ୟରେ ଉକ୍ତ ସେବା ଯୋଗାଇବା ସମ୍ଭବପର ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ। କିନ୍ତୁ ଏବେ ଏହି ସୀମାକୁ ୨୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଥିବାରୁ ଓଲା, ଉବର ଭଳି କମ୍ପାନି ଗୁଡ଼ିକର ରାଜସ୍ବ ସେତେଟା ପ୍ରଭାବିତ ହେବ ନାହିଁ।ଏହାଛଡ଼ା ଗାଡ଼ି ବୁକିଙ୍ଗ୍‌ ପାଇଁ ଚାହିଦା ସର୍ବାଧିକ ଥିବା ସମୟରେ ମଧ୍ୟ କମ୍ପାନି ଗୁଡ଼ିକ ଗ୍ରାହକଙ୍କଠାରୁ ମୂଳ ଭଡ଼ା ତୁଳନାରେ ଦେଢ଼ ଗୁଣ ଅଧିକ ଭଡ଼ା ନେଇପାରିବେ। ତାହାଠାରୁ ଅଧିକ ନେଇପାରିବେ ନାହିଁ। ଏଥିସହିତ କମ୍ପାନି ପକ୍ଷରୁ ଡ୍ରାଇଭରଙ୍କୁ ବୀମା ସୁବିଧା ନିଶ୍ଚିତ ଭାବେ ପ୍ରଦାନ କରାଯିବ। ସେହିଭଳି ଡ୍ରାଇଭରମାନଙ୍କୁ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇବାକୁ କୁହାଯାଇ ପାରିବ ନାହିଁ। ଭଡ଼ା ବାତିଲ ଶୁଳ୍କ ମୋଟ ଭଡ଼ାର ୧୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଛି। ତେବେ ଏହି ରାଶି ୧୦୦ ଟଙ୍କାରୁ ଅଧିକ ହେବନାହିଁ।ଆପ୍‌ର ତଥ୍ୟ ସାଇତି କରି ରଖାଯାଉଥିବା ସର୍ଭରଟି ଯେଭଳି ଭାରତରେ ରହିବ ତାହାକୁ ଏଗ୍ରିଗେଟର ସଂସ୍ଥା ନିଶ୍ଚିତ କରିବ। ସାଇତା ତଥ୍ୟ ସର୍ବନିମ୍ନ ୩ ମାସ ଏବଂ ସର୍ବାଧିକ ୨୪ ମାସ ପାଇଁ ରଖାଯିବ। ଏସବୁ ତଥ୍ୟ ମଧ୍ୟ ଆଇନ ଅନୁସାରେ ରାଜ୍ୟ ସରକାରଙ୍କ ପାଇଁ ଉପଲବ୍ଧ ହେବ। ଗ୍ରାହକଙ୍କ ଲିଖିତ ଅନୁମତି ବିନା ତାଙ୍କର କୌଣସି ତଥ୍ୟ ପ୍ରଘଟ କରାଯାଇ ପାରିବ ନାହିଁ।

Copyright © All rights reserved.