ଆସନ୍ତା ୨୦୩୦ ସୁଦ୍ଧା ‘ଭାରତ ହେବ ଏକ ନମ୍ବର ଶକ୍ତି ଉପଭୋକ୍ତା’
1 min read
ନୂଆଦିଲ୍ଲୀ: ଆସନ୍ତା ୨୦୩୦ ସୁଦ୍ଧା ଭାରତ ବିଶ୍ବର ଏକ ନମ୍ବର ଶକ୍ତି ଉପଭୋକ୍ତା ଭାବେ ଉଭା ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସ ପକ୍ଷରୁ ଆୟୋଜିତ କେମ୍କନ୍ ୨୦୧୯କୁ ଉଦ୍ଘାଟନ କରି ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ଆଡ଼କୁ ଗତି କରୁଛି। ଏହା ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି। ଏହି ସମୟରେ ଦେଶକୁ ବିଫଳତା ସାମ୍ନା କରି ଜିତିବାକୁ ହେବ। ଦେଶବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କ୍ଷମତା ରସାୟନ ବିଜ୍ଞାନ ପାଖରେ ରହିଛି। ଶିଳ୍ପ ବିକଳ୍ପ ୪.୦ରେ ଭାରତ ଆଗରେ ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସୂଚନା ଦେଇଛନ୍ତି ଯେ, ଦେଶର ପ୍ରଥମ ସିନ୍ଗ୍ୟାସ୍ ପ୍ଲାଣ୍ଟ୍ ତାଳଚେରରେ ସ୍ଥାପନ କରାଯିବ। ଗେଲ୍, କୋଲ୍ ଇଣ୍ଡିଆ ଓ ରାଷ୍ଟ୍ରୀୟ ଫର୍ଟିଲାଇଜର୍ ଜରିଆରେ ଏହାର କାମ ଆରମ୍ଭ ହୋଇସାରିଛି। ସ୍ଥାନୀୟ ବାୟୋମାସ୍ରୁ ୫ ହଜାର ମିଥାନଲ୍ ପ୍ଲାଣ୍ଟ୍ ନିର୍ମାଣ କରିବା ଲାଗି ସରକାରଙ୍କ ଯୋଜନା ରହିଛି। ଏଥିପାଇଁ ୫୦୦ ଉଦ୍ୟୋଗୀଙ୍କୁ ଏଲ୍ଓଆଇ ଦିଆଯାଇଛି ବୋଲି ସେ କହିଛନ୍ତି। ବିଦ୍ୟୁତ ଯାନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ବେଳେ ଦେଶରେ ଯେଉଁ ୬୦୦ ନିୟୁତ ଟନ୍ ବାୟୋମାସ୍ ରହିଛି ତାହାକୁ କିଭଳି ସଠିକ୍ ଢଙ୍ଗରେ ଉପଯୋଗ କରାଯାଇପାରିବ ତାହାର ଉତ୍ତର ରସାୟନ ବିଜ୍ଞାନରେ ରହିଛି ବୋଲି ସେ କହିଛନ୍ତି।