ବିଟ୍କଏନ୍ ଉପରୁ କଟକଣା ହଟାଇଲେ ସୁପ୍ରିମ କୋର୍ଟ
1 min read
Bitcoin gold coins with defocused abstract background. Virtual cryptocurrency concept.
ନୂଆଦିଲ୍ଲୀ : ଅନଲାଇନ୍ ବା ଡିଜିଟାଲ୍ ଜଗତରେ କାରବାର ହେଉଥିବା ମୁଦ୍ରା ବା କ୍ରିପ୍ଟୋ କରେନ୍ସି ଉପରେ ସୁପ୍ରିମ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ମାଧ୍ୟମରେ ଆଇନଗତ ଭାବେ ନେଣଦେଣ କରିହେବ ବୋଲି କୋର୍ଟ କହିଛନ୍ତି। କ୍ରିପ୍ଟୋକରେନ୍ସି ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କଟକଣା ଲଗାଇଥିଲେ ତାହାକୁ ସୁପ୍ରିମ କୋର୍ଟ ହଟାଇ ଦେଇଛନ୍ତି। ୨୦୧୮ ଏପ୍ରିଲ୍ ୬ରେ ସବୁ ପ୍ରକାର ଭର୍ଚୁଆଲ୍ କରେନ୍ସି ବା ଡିଜିଟାଲ୍ ମୁଦ୍ରାର କାରବାର ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲେ। ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ହିଁ ବିଶ୍ବର ଅନେକ ଦେଶରେ ପ୍ରଚଳିତ ହେଉଛି। କ୍ରିପ୍ଟୋକରେନ୍ସି ବଜାରର ଅଧା ଭାଗ ବିଟ୍କଏନ୍ କବ୍ଜାରେ ରହିଛି। କ୍ରିପ୍ଟୋକରେନ୍ସିର ହେଉଛି ଏଭଳି ଏକ ମୁଦ୍ରା ଯାହାକୁ କେବଳ ଡିଜିଟାଲ୍ ଜଗତରେ କାରବାର କରିହେବ। ଏହାକୁ କୌଣସି ବ୍ୟାଙ୍କ କିମ୍ବା କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିନାହାନ୍ତି। ତେଣୁ ଏହାର ମୂଲ୍ୟ କିମ୍ବା ଏହା ଉପରେ ନିୟନ୍ତ୍ରଣ ହାସଲ କରିବା ସମ୍ଭବ ହେଉନାହିଁ। ଟିକସକୁ ନେଇ ଚିନ୍ତିତ ଥିବା ଲୋକମାନେ ବିଟ୍କଏନ୍ରେ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଯେହେତୁ ଏହାର ନିୟାମକ ବ୍ୟବସ୍ଥା ଠାରୁ ଦୂରରେ ତେଣୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏହା ଉପରେ ନଜର ରଖିପାରୁନାହାନ୍ତି।