ସାଇରସ୍ଙ୍କ ସପକ୍ଷରେ ରାୟ, ଚ୍ୟାଲେଞ୍ଜ୍ କରିବ ଟାଟା
1 min read
ନୂଆଦିଲ୍ଲୀ : ଟାଟା ଗ୍ରୁପ୍କୁ ଆଜି ଜାତୀୟ କଂପାନି ଲ’ ଆପିଲିଟ୍ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଏଟି) ବଡ଼ ଝଟ୍କା ଦେଇଛନ୍ତି। ୨୦୧୬ ଅକ୍ଟୋବରରେ ବିବାଦୀୟ ପରିସ୍ଥିତିରେ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିବା ସାଇରସ୍ ମିସ୍ତ୍ରୀଙ୍କୁ ପୁନର୍ବାର ସେହି ପଦରେ ଅବସ୍ଥାପିତ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦେଶ ଦେଇଛନ୍ତି। ଟାଟା ସନ୍ସର ଅଧ୍ୟକ୍ଷ ଭାବେ ୨୦୧୭ ଜାନୁଆରିରେ ନଟରାଜନ ଚନ୍ଦ୍ରଶେଖରନଙ୍କୁ ଦିଆଯାଇଥିବା ନିଯୁକ୍ତି ବେଆଇନ ଥିଲା ବୋଲି ଟ୍ରିବ୍ୟୁନାଲ୍ ସ୍ପଷ୍ଟ କରିଛନ୍ତି। ଏଥି ସହିତ ନିଜକୁ ଘରୋଇ କଂପାନିରେ ପରିଣତ କରିବା ଲାଗି ଟାଟାର ପଦକ୍ଷେପକୁ ମଧ୍ୟ ଟ୍ରିବ୍ୟୁନାଲ୍ ବେଆଇନ ଘୋଷଣା କରିଛନ୍ତି। ଟ୍ରିବ୍ୟୁନାଲ୍ର ଏହି ରାୟକୁ ଅଦାଲତରେ ଚ୍ୟାଲେଞ୍ଜ କରିବୁ ବୋଲି ଟାଟା ସନ୍ସ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ଟାଟା ସନ୍ସର ଅଧ୍ୟକ୍ଷ ପଦରେ ସାଇରସ୍ଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଟ୍ରିବ୍ୟୁନାଲ୍ ଟାଟାକୁ ଚାରି ସପ୍ତାହ ସମୟ ଦେଇଛନ୍ତି। ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବା ପାଇଁ ଟାଟା ପାଖରେ ସୁଯୋଗ ରହିଛି। ଏନ୍ସିଏଲ୍ଏଟିର ଦୁଇ ଜଣିଆ ବିଚାରପତି ଖଣ୍ଡପୀଠ ଆଜି ଟାଟା-ସାଇରସ୍ ମାମଲାର ରାୟ ପ୍ରକାଶ କରିଥିଲେ। ଗତ ଜୁଲାଇ ମାସରେ ଏହି ମାମଲାର ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖାଯାଇଥିଲା।