ରେଳମନ୍ତ୍ରୀ ଗୋୟଲଙ୍କ ସୂଚନା: ୨୦୨୪ ସୁଦ୍ଧା ସବୁ ଟ୍ରେନ୍ ବିଜୁଳିରେ ଚାଲିବ
1 min read
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମସିହା ସୁଦ୍ଧା ଭାରତୀୟ ରେଳରୁ ଆଉ ଧୂଆଁଜନିତ ପ୍ରଦୂଷଣ ଦେଖିବାକୁ ମିଳିବ ନାହିଁ। ଦେଶରେ ଚାଲୁଥିବା ସବୁ ରେଳଗାଡ଼ି ବିଜୁଳିରେ ଚାଲିବ। କେନ୍ଦ୍ର ରେଳ, ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଭାରତ ବ୍ରାଜିଲ୍ ବ୍ୟବସାୟ ଫୋରମରେ ଯୋଗଦେଇ ଶ୍ରୀ ଗୋୟଲ କହିଛନ୍ତି ଭାରତୀୟ ରେଳବାଇ ପ୍ରାୟ ୬୮,୦୦୦ କିମି ଦୂରତାକୁ ସଂଯୋଗ କରୁଛି। ଦୋହରୀକରଣ ଆଦିକୁ ବିଚାରକୁ ନେଲେ ୧,୨୫,୦୦୦ କିମିର ରେଳ ଧାରଣାକୁ ନେଇ ଭାରତର ବିଶାଳ ରେଳ ନେଟୱାର୍କ ଗଠନ ହୋଇଛି। ସମ୍ପୂର୍ଣ୍ଣ ରେଳ ନେଟୱାର୍କକୁ ୨୦୨୪ ସୁଦ୍ଧା ବିଦ୍ୟୁତୀକରଣ କରାଯିବା ଆଶା ରହିଛି ବୋଲି ଭାରତ-ବ୍ରାଜିଲ ବ୍ୟବସାୟ ଫୋରମ୍ରେ ଯୋଗଦେବା ଅବସରରେ ଶ୍ରୀ ଗୋୟଲ କହିଛନ୍ତି। ପରିବେଶ ପ୍ରତି ଆମର ଦାୟିତ୍ବକୁ ନେଇ ଆମେ ଅତ୍ୟନ୍ତ ସଚେତନ ଅଛୁ। ସେଥିପାଇଁ ରେଳପଥର ବ୍ୟାପକ ବିଦ୍ୟୁତୀକରଣ କରାଯାଉଛି। ତେଣୁ ରେଳବାଇ କ୍ଷେତ୍ରରେ ମଧ୍ୟ ଭାରତ ଏବଂ ବ୍ରାଜିଲ ମଧ୍ୟରେ ସହଯୋଗିତାର ସୁଯୋଗ ରହିଥିବା ସେ କହିଛନ୍ତି। ନିତି ଆୟୋଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଭାରତୀୟ ରେଳର ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ପ୍ରାୟ ୬.୮୪ ନିୟୁତ ଟନ ରହିଥିଲା।
ଭାରତ ଏବଂ ବ୍ରାଜିଲ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ୨୦୨୨ ସୁଦ୍ଧା ୧୫ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ପରିମାଣ ୮.୩ ବିଲିଅନ ଡଲାର ରହିଛି। ଦୁଇ ଦେଶର ନିବେଶକଙ୍କ ପାଇଁ ଉଭୟ ଦେଶର ରେଳବାଇ, ଭିତ୍ତିଭୂମି, ପର୍ଯ୍ୟଟନ, କୃଷି, ସ୍ବଚ୍ଛ ଶକ୍ତି ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ନିବେଶ ସୁଯୋଗ ରହିଛି।