Wed. Jun 25th, 2025

ଏଜିଆର୍‌ ମାମଲାରେ ସୁପ୍ରିମ କୋର୍ଟରୁ ମିଳିଲାନି ଆଶ୍ବସ୍ତି,

1 min read
Spread the love

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଟେଲିକମ୍ କଂପାନିଗୁଡ଼ିକୁ ସପ୍ତାହକ ଭିତରେ ୧.୦୨ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଗଣିବାକୁ ହେବ। ଅତିରିକ୍ତ ଲାଇସେନ୍ସ ଫି’, ସ୍ପେକ୍ଟ୍ରମ ବ୍ୟବହାର ଶୁଳ୍କ, ଜରିମାନା ଏବଂ ସୁଧ ବାବଦରେ କଂପାନିଗୁଡ଼ିକ ଏହି ଅର୍ଥରାଶି ସରକାରଙ୍କୁ ଦେବେ। ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍‌)ର ସଂଜ୍ଞା ନିରୂପଣକୁ ନେଇ ଟେଲିକମ୍ କଂପାନି ଓ ସରକାରଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଲାଗି ରହିଥିବା ମାମଲାର ଶୁଣାଣି କରି ୨୦୧୯ ଅକ୍ଟୋବରରେ ସୁପ୍ରିମ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ଏଜିଆରକୁ ନେଇ ସରକାର ଯେଉଁ ସଂଜ୍ଞା ନିର୍ଧାରଣ କରିଥିଲେ ତାହାକୁ କୋର୍ଟ ଗ୍ରହଣ କରିଥିଲେ ଏବଂ ସରକାରଙ୍କୁ ଶୀଘ୍ର ୯୨ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଟେଲିକମ୍ କଂପାନିଗୁଡ଼ିକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ।

ଏହି ରାୟର ସମୀକ୍ଷା କରିବା ଲାଗି ଭୋଡାଫୋନ୍ ଆଇଡିଆ, ଭାରତୀ ଏୟାରଟେଲ୍ ଓ ଟାଟା ଟେଲି ସର୍ଭିସେସ୍ କରିଥିବା ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଅରୁଣ ମିଶ୍ର, ଏସ୍‌ ଏ ଅବଦୁଲ ନାଜିର ଓ ଏମ୍ ଆର୍‌ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କଂପାନିଗୁଡ଼ିକର ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟ ଯୋଗୁଁ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍‌ ସର୍ବାଧିକ ପ୍ରଭାବିତ ହେବେ। ଭୋଡାଫୋନ୍ ଆଇଡିଆ ୫୩,୦୩୯ କୋଟି ଟଙ୍କା ଓ ଏୟାରଟେଲ୍‌ ୩୫,୫୮୬ କୋଟି ଟଙ୍କା ଗଣିବ। ଚଳିତ ମାସ ୨୩ ସୁଦ୍ଧା ଏହି ଟଙ୍କା ସରକାରଙ୍କ ପାଖରେ ଜମା କରିବାକୁ ପଡ଼ିବ। ଟାଟା ଟେଲି ସର୍ଭିସେସ୍‌ ୧୩,୮୨୩ କୋଟି ଟଙ୍କା ଗଣିବ। କିଛି ବର୍ଷ ପୂର୍ବେ ଦେଶରେ ମୋବାଇଲ୍ ସେବା ଯୋଗାଇ ଦେଉଥିବା ପ୍ରାୟ ୧୫ଟି କଂପାନିକୁ ୧ ଲକ୍ଷ ୪୭ ହଜାର କୋଟିରୁ ଅଧିକ ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିବ। ଏଥି ମଧ୍ୟରୁ ଅନେକ କଂପାନି ବନ୍ଦ ହୋଇଗଲାଣି। ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍‌ ଜରିମାନା ଓ ସୁଧକୁ ଉଚ୍ଛେଦ କରିବା ଲାଗି ଦାବି କରୁଥିଲେ। ଯେହେତୁ ସୁପ୍ରିମ କୋର୍ଟ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି, ତେଣୁ ସେମାନେ ଏବେ କ୍ୟୁରେଟିଭ ପିଟିସନ ଦାଖଲ କରିବା ବିଷୟରେ ବିଚାର କରିପାରିବେ। କିନ୍ତୁ ସେଥିରେ କଂପାନିଗୁଡ଼ିକୁ ଲାଭ ମିଳିବାର କମ୍ ସମ୍ଭାବନା ରହିଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ମୋବାଇଲ୍ ସେବା ଯୋଗାଇ ଦେବା ପରେ ଅନ୍ୟ ସବୁ ଟେଲିକମ୍ କଂପାନି କ୍ଷତିରେ ଚାଲୁଛନ୍ତି। ‌୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ତ୍ରୟମାସରେ ଭୋଡାଫୋନ୍ ଆଇଡିଆ ୫୦,୯୨୨ କୋଟି ଟଙ୍କାର କ୍ଷତି ସହିଥିଲା ଯାହା ଭାରତର କର୍ପୋରେଟ୍ ଜଗତ ଇତିହାସରେ ସର୍ବାଧିକ। ଭାରତୀ ଏୟାରଟେଲ୍ ୨୩,୦୪୫ କୋଟି ଟଙ୍କାର କ୍ଷତି ସହିଛି।

Copyright © All rights reserved.