ଜାନୁଆରିରୁ କାର୍ ଦାମ୍ ବଢ଼ିବ, ମାରୁତି, ଟାଟା, ହୁଣ୍ଡାଇର ଘୋଷଣା !
1 min read
ନୂଆଦିଲ୍ଲୀ: ନୂଆବର୍ଷରୁ କାର୍ଗୁଡ଼ିକର ଦାମ୍ ବଢ଼ିବ। ଦେଶର ତିନିଟି ପ୍ରମୁଖ କାର୍ କଂପାନି ମାରୁତି ସୁଜୁକି, ଟାଟା ମୋଟର୍ସ ଓ ହୁଣ୍ଡାଇ ପକ୍ଷରୁ ଦର ବୃଦ୍ଧି ବିଷୟରେ ଘୋଷଣା କରାଯାଇସାରିଲାଣି। ଟୟୋଟା, ମହିନ୍ଦ୍ରା ଓ ମର୍ସିଡିସ୍-ବେଞ୍ଜ୍ ଦର ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି।ହୁଣ୍ଡାଇ ଏହାର ସମସ୍ତ ମଡେଲ୍ର ଦାମ୍ ବଢ଼ାଇବ। ଗାଡ଼ି ଉତ୍ପାଦନରେ ହେଉଥିବା ଖର୍ଚ୍ଚ ବଢ଼ିଥିବାରୁ ତାହାକୁ ଭରଣା କରିବା ଲାଗି କାର୍ଗୁଡ଼ିକର ଦାମ୍ ବଢ଼ାଯାଉଛି ବୋଲି କଂପାନି କହିଛି। ତେବେ କେଉଁ ମଡେଲ୍ର ଦାମ୍ କେତେ ଟଙ୍କା ବଢ଼ିବ ତାହା ଜଣାପଡ଼ିନାହିଁ। ସାଣ୍ଟ୍ରୋ, ଆଇ୧୦, ଆଇ୨୦, ଭେନ୍ୟୁ ଓ କ୍ରେଟା ଭଳି ଲୋକପ୍ରିୟ ମଡେଲ୍କୁ ହୁଣ୍ଡାଇ ବିକ୍ରି କରୁଛି। ଚଳିତ ମାସ ୩ ତାରିଖରେ ମାରୁତି ସୁଜୁକି ଘୋଷଣା କରିଥିଲା ଯେ ଏହାର କାର୍ଗୁଡ଼ିକର ଦାମ୍ ୨୦୨୦ ଜାନୁଆରିରୁ ବୃଦ୍ଧି ପାଇବ। କାର୍ ନିର୍ମାଣ କରିବାରେ ହେଉଥିବା ବିଭିନ୍ନ ଖର୍ଚ୍ଚ ବଢ଼ୁଥିବାରୁ କଂପାନି ଦର ବୃଦ୍ଧି ଘୋଷଣା କରିଛି।
ଦରବୃଦ୍ଧି ଯୋଜନା ବିଷୟରେ କଂପାନି ବମ୍ବେ ଷ୍ଟକ ବଜାରକୁ ଅବଗତ କରିଥିଲା। ଅଲ୍ଟୋ ୮୦୦, ଏକ୍ସଏଲ୍୬, ଏସ୍-କ୍ରସ୍, ଭିଟାରା ବ୍ରିଜା ଭଳି ମଡେଲ୍କୁ ମାରୁତି ସୁଜୁକି ବିକ୍ରି କରୁଛି। ଏହାର ଗୋଟିଏ ଦିନ ପରେ ଟାଟା ମୋଟର୍ସ ପକ୍ଷରୁ କୁହାଯାଇଥିଲା ଯେ, ଆସନ୍ତା ଜାନୁଆରିରୁ ବିଭିନ୍ନ ମଡେଲ୍ର ଦାମ୍ ବୃଦ୍ଧି ପାଇବ। ବିଏସ୍-୬ ନିୟମ ପାଳନ କରୁଥିବା ଗାଡ଼ି ନିର୍ମାଣ କରାଯାଉଥିବାରୁ ସେଥିରେ ଅଧିକ ଖର୍ଚ୍ଚ ହେଉଛି। ସେଥିପାଇଁ କାର୍ ଦାମ୍ ବଢ଼ାଇବାକୁ କଂପାନି ନିଷ୍ପତ୍ତି ନେଇଛି। ଟିଆଗୋ ଓ ହାରିୟର ଭଳି ଲୋକପ୍ରିୟ ମଡେଲ୍କୁ ଟାଟା ମୋଟର୍ସ ବିକ୍ରି କରୁଛି। ନିକଟରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଦକ୍ଷିଣ କୋରିଆର କାର୍ କଂପାନି କିଆ ମୋଟର୍ସ ମଧ୍ୟ ଏହାର ଏସ୍ୟୁଭି ସେଲ୍ଟସ୍ର ଦାମ୍ ବଢ଼ାଇବ ବୋଲି କୁହାଯାଉଛି। ଜାନୁଆରି ମାସରୁ ଦାମ୍ ବଢ଼ିବ ବୋଲି କଂପାନି ଏହାର ଡିଲର୍ମାନଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଏହି ସମୟରେ ଗାଡ଼ି କଂପାନିଗୁଡ଼ିକ ବିକ୍ରି ଉପରେ ଆକର୍ଷଣୀୟ ଅଫର ପ୍ରଦାନ କରିଥାନ୍ତି। ବଜେଟ୍ ଘୋଷଣା ହେବା ପୂର୍ବରୁ ପୁରୁଣା ଷ୍ଟକ ବିକ୍ରି କରିବାକୁ ଉଦ୍ୟମ କରିଥାନ୍ତି।